Site icon Awaj Media

ଯୌନ ଉତ୍ପୀଡ଼ନ ନିରୋଧ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶା ସରକାରଙ୍କ ଶକ୍ତିଶ୍ରୀ ସଶକ୍ତୀକରଣ ପଦକ୍ଷେପ ଅଧୀନରେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ଼ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ମହିଳାଙ୍କ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ପ୍ରତିକାର ଅଧିନିୟମ, ୨୦୧୩ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ପ୍ରାରମ୍ଭରେ ଶ୍ରୀମତୀ ରୀନାବାଳା ଆଚାର୍ଯ୍ୟ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସରୋଜା ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ସମ୍ପର୍କରେ ମତ ରଖିଥିଲେ। ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ସହ ଛାତ୍ରୀମାନଙ୍କୁ ନିଜ ଅଧିକାର ଓ ଆଇନଗତ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

ଏହି ଅବସରରେ ପୂର୍ବତନ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ୱାଇଁ ନିଜର ବାସ୍ତବ ଜୀବନର ଅଭିଜ୍ଞତା ଓ ଆଇନଗତ ଅଭିଜ୍ଞତା ଆଧାରରେ କାର୍ଯ୍ୟସ୍ଥଳରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ଯୌନ ଉତ୍ପୀଡ଼ନର ବିଭିନ୍ନ ସ୍ୱରୂପ ଏବଂ ଏହାର ଆଇନଗତ ପ୍ରତିକାର ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ସଚିବା ଶ୍ରୀମତୀ ଅଞ୍ଜଳି ମାଛଖଣ୍ଡ ମହିଳାଙ୍କ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ପ୍ରତିକାର ଅଧିନିୟମର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ।

ସେ ମହିଳାମାନଙ୍କର କାର୍ଯ୍ୟସ୍ଥଳରେ ସମ୍ମାନର ସହ କାର୍ଯ୍ୟ କରିବାର ଅଧିକାର, ଯୌନ ଉତ୍ପୀଡ଼ନର ପରିଭାଷା, ଆଇନର ଉଦ୍ଦେଶ୍ୟ, ଅଭିଯୋଗ ଦାଖଲ ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏବଂ ସ୍ଥାନୀୟ ଅଭିଯୋଗ କମିଟିର ଭୂମିକା ଓ କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ।

ଏଥିସହିତ ସେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅରେଲିଆନୋ ଫର୍ନାଣ୍ଡିସ ବନାମ ଗୋଆ ସରକାର ଓ ଅନ୍ୟମାନେ, ୨୦୨୩ ମାମଲାର ଐତିହାସିକ ରାୟ ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ରାୟରେ ସରକାରୀ ଓ ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟସ୍ଥଳରେ ଆଇନ ଅନୁଯାୟୀ ଅଭିଯୋଗ କମିଟି ଗଠନ, ଏହାର ସଠିକ୍ ଓ ପ୍ରଭାବୀ କାର୍ଯ୍ୟକାରିତା ଏବଂ ନିୟମିତ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଗୁରୁତ୍ୱ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଥିବା ସେ ଉଲ୍ଲେଖ କରିଥିଲେ।

ଛାତ୍ରୀମାନଙ୍କୁ ନିଜର ଅଧିକାର ପ୍ରତି ସଚେତନ ରହିବା, ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଆଇନଗତ ସହାୟତା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶେଷରେ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ରଚିତା ଚୌଧୁରୀ ନିଜର ଦକ୍ଷ ନେତୃତ୍ୱ ଓ ସମନ୍ୱୟ ମାଧ୍ୟମରେ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସୁପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଅତିଥି, ବକ୍ତା ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ମହିଳାଙ୍କ ଆଇନଗତ ଅଧିକାର, ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ଲିଙ୍ଗଗତ ସମାନତାଭିତ୍ତିକ ସମାଜ ଗଠନର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Exit mobile version