Site icon Awaj Media

ଜାତୀୟ ପ୍ରେସ ଦିବସରେ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧନା !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ତାଳଚେରର ବିଶିଷ୍ଟ ସମାଜସେବୀ କ୍ଷିରୋଦ ସାହୁଙ୍କୁ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ଶ୍ରୀ ସାହୁଙ୍କ ଅବଦାନକୁ ସ୍ୱୀକୃତି ଦେଇ ସାମ୍ବାଦିକମାନେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ତାଳଚେର ମିଡିଆ ପକ୍ଷରୁ ତାଳଚେର ବସଷ୍ଟାଣ୍ଡସ୍ଥିତ କନଫରେନ୍ସ ହଲ୍‌ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସଭାପତି ବଜରଙ୍ଗ ଅଗ୍ରୱାଲ, ପ୍ରଦୀପ ମହାରଣା, ଜଲି ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଏହି ସଭାରେ ଉପସ୍ଥିତ ଥିଲେ।

ସେହିପରି ହୋଟେଲ ଗ୍ରୀନ୍ ପାର୍କଠାରେ ପ୍ରେସ କ୍ଲବ୍ ନୋଭେଲ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଇଂରାଜୀ ବିଭାଗର ଅଧ୍ୟାପିକା ପ୍ରଫେସର ଶୁଭଦର୍ଶନୀ ମହାପାତ୍ର ଓ ତାଳଚେର କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର ପରିଡ଼ା ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସଭାପତି ପ୍ରବୀଣ କୁମାର ଦାସ ଓ ଜ୍ୟୋତି ରଞ୍ଜନ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହାବ୍ୟତୀତ ହାଟତୋଟାସ୍ଥିତ ପ୍ରେସ କ୍ଲବ୍‌ରେ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦକ ବିଜୟ ଦେବତା ତାଙ୍କୁ ଉତ୍ତରୀୟ ପ୍ରଦାନ କରି ସମାଜସେବା କାର୍ଯ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ନିଷ୍ଠା ଓ ସମର୍ପଣ ଜାରି ରଖିବାକୁ ଶୁଭକାମନା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, କ୍ଷିରୋଦ ସାହୁ ୧୯୯୫ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଛନ୍ତି। ତାଙ୍କର ଏହି ନିଷ୍ଠାପର ସେବା, ମାନବିକତା ଓ ସମାଜ ପ୍ରତି ଅବଦାନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

Exit mobile version