କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବେଲକର ଜଙ୍ଗଲରେ ଜଣେ ଯୁବକଙ୍କ ମୃତ ଦେହ ପୋଲିସ ଠାବ କରିଛି । ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମୃତ ଦେହ ନିକଟରେ ଏକ ଦେଶୀ ବନ୍ଧୁକ ପଡିରହିଛି । ହେଲେ ବର୍ତ୍ତମାନ ଯାଏ ଘଟଣାଟି ସନ୍ଦେହ ଘେର ରେ ରହିଛି । ଅଧିକ ତଦନ୍ତ ପାଇଁ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ପହଂଚି ସାଇଫିଣ୍ଟିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁସାରେ ମଙ୍ଗଳବାର ଦିନ ୧୦ଟା ରେ ବଡ଼ ପୁଝାରିଗୁଡା ଗ୍ରାମପଞ୍ଚାୟତ ର ସବିଗୁଡା ଗାଁ ର ସୁରେନ୍ଦ୍ର ରାଉତ ଏବଂ ତାଙ୍କ ଚାରି ସାଙ୍ଗ ସେଇ ଗାଁ ର ମହେତ ପୁଝାରୀ, ଯୁବରାଜ ପୁଝାରୀ, ଶିଶିର ରାଉତ ଓ ଅନ୍ୟ ଜଣେ ସୁପାଡ଼ ଗ୍ରାମର ଭୁର୍ଲ୍ଲୀ ଏଭଳି ପାଞ୍ଚ ଜଣ ମିଶି ଜଙ୍ଗଲ କୁ ଜଙ୍ଗଲୀ କୁକୁଡ଼ା ଶିକାର କରିବାକୁ ଯାଇଥିଲେ । ସନ୍ଧ୍ୟା ହୋଇ ଯାଇଥିଲେ ମଧ୍ୟ ସେମାନେ ଫେରିନଥିଲେ । ପରେ ପରିବାର ଲୋକେ ସୁରେନ୍ଦ୍ର କୁ ଖୋଜାଖୋଜି କରି ପାଇନଥିଲେ । ବୁଧବାର ସକାଳେ ଶୁଣିବାକୁ ପାଇଲେ ଯେ ସୁରେନ୍ଦ୍ରର ମୃତ ଦେହ ବେଳକର ଜଙ୍ଗଲ ନିକଟରେ ପଡିରହିଛି । ଘଟଣା ସମ୍ପର୍କରେ ପୁଲିସ କୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହ ଏବଂ ଆଉ ତା ନିକଟରେ ଏକ ଦେଶୀ ବନ୍ଧୁକ ଜବତ କରିଥିଲା ।
ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣାର ତଦନ୍ତ ଜାରି ରଖିଛନ୍ତି . କେଶ ନମ୍ବର ୩୨/୨୧ ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ । ତଥାପି ପୁରା ଘଟଣା ସନ୍ଦେହ ଘେରରେ ରହିଛି, ସୁରେନ୍ଦ୍ର କୁ ହତ୍ୟା କରାଯାଇଛି ନା ଶିକାରୀ ଗୁଳି ଲାଗିଛି ସେ କଥା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ମୃତକଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ଗତ ବର୍ଷ ସୁରେନ୍ଦ୍ର ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି । ସୁରେନ୍ଦ୍ରଙ୍କ ଏପରି ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସମେତ ସଂପୂର୍ଣ୍ଣ ଗ୍ରାମରେ ଶୋକର ଛାୟା ଖେଳିଯାଇଛି .

