Site icon Awaj Media

ଚେଷ୍ଟା ନିଶାମୁକ୍ତି କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ଚାନ୍ଦଗଡ଼ ମଜୁରାଇରେ ଥିବା ଚେଷ୍ଟା ନିଶାମୁକ୍ତି କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ ନିଶାମୁକ୍ତି କେନ୍ଦ୍ରର ମାଲିକ ରାଜକିଶୋର ଦାସଙ୍କ ମାଡରେ ସମ୍ପୃକ୍ତ ଅନ୍ତେବାସୀ ସେକ ଜବାରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଚାଟରା ଗଣ୍ଡିତ ଗାଁର ବୋଲି ଜଣାପଡିଛି ।

ଏହି ନିଶାମୁକ୍ତି କେନ୍ଦ୍ରଟି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ସମୟରେ କେନ୍ଦ୍ରରେ 15 ରୁ ଉର୍ଦ୍ଧ ନିଶାସକ୍ତ ବ୍ୟକ୍ତି ରହି ସିଜିକିତ୍ସିତ ହେଉଥିଲେ । ତିନି ମାସରେ ନିଶାରୁ ମୁକ୍ତି ମିଳିବ ବୋଲି କେନ୍ଦ୍ରର ମାଲିକ ରାଜକିଶୋର ଦାସ ପରିବାର ଲୋକଙ୍କୁ କହି ମାସିକ 10 ହଜାର ଲେଖାଏଁ ତିନି ମାସକୁ 30 ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ନେଉଥିବା କଥା କିଛି ଅନ୍ତେବାସୀଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ କେନ୍ଦ୍ରର ମାଲିକ ମଦ୍ୟପାନ କରି କେନ୍ଦ୍ରରେ ଥିବା ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଆକ୍ରମଣରେ ବହୁତ ନିଶାଡୀ ଫେରାର ହୋଇଯାଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଜଗତସିଂହପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଆରମ୍ଭ କରିଛି ତଦନ୍ତ । ଏଭଳି ଏକ ସଂସ୍ଥା ଖୋଲି ନିଶାଗ୍ରସ୍ଥ ଲୋକମାନଙ୍କୁ ଭଲ କରିବାର ପ୍ରତିଶୃତି ଦେଇ ଅନ୍ତେବାସୀଙ୍କୁ ମରଣାନ୍ତକ ମାଡ ଦିଆ ଯାଉଥିବାର ଅଭିଯୋଗ ଆସିବା ପରେ ନିଶାମୁକ୍ତି କେନ୍ଦ୍ରର ମାଲିକଙ୍କୁ ଗିରଫ କରିବା ସହିତ, ମାଲିକ ସହିତ ରହି ଏଭଳି କାର୍ଯ୍ୟ କରୁଥିବା ତାର ସହଯୋଗୀ ମାନଙ୍କୁ ଗିରଫ କରିବା ପାଇଁ ମୃତ ଯୁବକର ପରିବାର ଲୋକେ ଦାବି କରିଛନ୍ତି ।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ମାଲିକର ମାଡରେ କେତେଜଣ ଆହତ ହୋଇଛନ୍ତି ସଠିକ ଭାବରେ ଜଣା ପଡିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ , ପୁରୀ ଜିଲ୍ଲା ପିପିଲି ନିକଟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ମଧ୍ୟ ମାଲିକଙ୍କ ମାଡ଼ରେ ଜଣେ ମୃତ୍ୟୁବରଣ କରିବା ପରେ ପିପିଲି ପୁଲିସ ହତ୍ୟା ମକଦ୍ଦମା ରୁଜୁ କରି ପାଞ୍ଚ ଜଣଙ୍କୁ ଗିରଫ କରିଥିଲା .

Exit mobile version