Site icon Awaj Media

ବହୁଚର୍ଚ୍ଚିତ ଚେଷ୍ଟା ନିଶା ନିବାରଣ କେନ୍ଦ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସହଯୋଗୀ ଗିରଫ…

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ସ୍ଥିତ ଚେଷ୍ଟା ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଚେଷ୍ଟା ନିଶା ନିବାରଣ କେନ୍ଦ୍ରର ମାଲିକ ରାଜକିଶୋର ଦାସ ଓରଫ ରାଜା ଏବଂ ତାର ସହଯୋଗୀ ଉମାକାନ୍ତ ସ୍ୱାଇଁ ଓରଫ ଚିକୁ କୁ ଗିରଫ କରିବାରେ ସକ୍ଷମ ହୋଇଛି ଜଗତସିଂହପୁର ପୋଲିସ । ସୂଚନା ମୁତାବକ ଜଗତସିଂହପୁର ସଦର ଅନ୍ତର୍ଗତ ଚାଟରା ଗ୍ରାମର ଶେଖ ସେର ଅଲ୍ଲିଙ୍କ ପୁଅ ଶେଖ ଜବାର ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ଠାରେ ଥିବା ଚେଷ୍ଟା ନିଶା ନିବାରଣ କେନ୍ଦ୍ରରେ ଗତ ୨ ମାସ ଧରି ରହି ଚିକିତ୍ସିତ ହୋଇ ଆସୁଥିଲେ। ଶେଖ ଜବାରଙ୍କ ପରିବାର ତରଫରୁ ମାସିକ ୧୦,୦୦୦ ଟଙ୍କା ସମ୍ପୃକ୍ତ ନିଶା ନିବାରଣ କେନ୍ଦ୍ରରେ ପଇଠ କରା ଯାଉଥିଲା ।

ତେବେ ଗତ ୨ ତାରିଖ ଦିନ କୌଣସି କାରଣରୁ ସମ୍ପୃକ୍ତ ନିଶା ନିବାରଣ କେନ୍ଦ୍ରର ମାଲିକ ଏବଂ ଜବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ନିଶା ନିବାରଣ କେନ୍ଦ୍ର ର ମାଲିକ ରାଜକିଶୋର ଦାସ ଓରଫ ରାଜା ଓ ତାର ସହଯୋଗୀ ଉମାକାନ୍ତ ସ୍ୱାଇଁ ଓରଫ ଚିକୁ , ଜବାରଙ୍କ ସମେତ ସମସ୍ତ ଅନ୍ତେବାସୀ ମାନଙ୍କୁ ପ୍ରଚୁର ମାଡ଼ ମାରିଥିଲେ । ଫଳରେ ସେହି ମାଡ଼ରେ ଜବାରଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଅନ୍ତେବାସୀ ମାନେ ଆଘାତପ୍ରାପ୍ତ ହୋଇଥିଲେ । ଜବାର ର ମୃତ୍ୟୁ ଘଟିଥିବା ଜାଣିବା ପରେ ତାଙ୍କ ପରିବାର ପକ୍ଷରୁ ଜଗତସିଂହପୁର ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରାଯାଇଥିଲା । ସେତେବେଳକୁ ସମ୍ପୃକ୍ତ ମାଲିକ ଏବଂ ତାର ସହଯୋଗୀ ଫେରାର ହୋଇ ଯାଇଥିଲେ ।

ପରେ ପରିବାର ପକ୍ଷରୁ ଆସାମୀ କୁ ତୁରନ୍ତ ଗିରଫ ଦାବିରେ ଜଗତସିଂହପୁର ଥାନା ଘେରାଉ କରିଥିଲେ । ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ୪୮ ଘଣ୍ଟା ମଧ୍ୟରେ ଆସାମୀ ମାନଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଥି ନିମନ୍ତେ ଜଗତସିଂହପୁର ପୋଲିସ କୁ ବହୁ କସରତ କରିବାକୁ ପଡିଥିଲା । ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେଲା ପରେ ମଧ୍ୟ ପୋଲିସ ଆସାମୀ ମାନଙ୍କୁ ଧରିବାରେ ସକ୍ଷମ ହୋଇପାରି ନଥିଲେ । ତେବେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜଗତସିଂହପୁର ପୋଲିସ ଆଜି ଆସାମୀ ଦ୍ଵୟଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସଡ଼ିପିଓ ପ୍ରିୟରଞ୍ଜନ ଶତପଥୀ ।

Exit mobile version