ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତ ଭାବେ ଚଢ଼ାଉ କରି ଏକାଧିକ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି । ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ବାଣପୁର ଥାନା ଅନ୍ତର୍ଗତ ପାଟପୁର ଏବଂ ଦଣ୍ଡିଗାଡ଼ିଆ ଗ୍ରାମରେ ଚଢ଼ାଉ କରି ଅବକାରୀ ବିଭାଗ ସମୁଦାୟ ୧୧୮ ଲିଟର ଦେଶୀ ମଦ ଏବଂ ୮ ଲିଟର ଆସ୍କା – ୪୦ ଜବତ କରିଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେଉଁଥିରେ ଜଣେ ମହିଳା ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯, ୪୭ ଏବଂ ୪୮ ରେ ତିନି ଗୋଟି ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଚଢ଼ାଉ ଅଭିଯାନରେ ଟାଙ୍ଗୀ ଅବକାରୀ ଆଇଆଇସି ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ନମିତା ନାୟକ ଏବଂ ଅନ୍ୟ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ ।
