ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଡ଼ ଖାଉଛି ଫସଲ , ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ଜଙ୍ଗଲ ବିଭାଗ କର୍ମଚାରୀ କରୁଛନ୍ତି କାଠ ତସ୍କରୀ . ବାଣପୁର ଦାମିଆ ବରବରା ଜଙ୍ଗଲ ବିଭାଗ ରେ ଫରେଷ୍ଟ କର୍ମକର୍ତ୍ତା କାଠ ଚୋରି କରି ଲୋକଙ୍କ ହାତରେ ଧରାପଡି ହେଲେ ହଟହଟା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ଜଙ୍ଗଲ ଏସିଆ ମହାଦେଶର ସର୍ବ ବୃହତ୍ତମ ସଂରକ୍ଷିତ ଶାଗୁଆନ ଜଙ୍ଗଲ ଅଟେ । ଏହି ଶାଗୁଆନ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି । ଜଙ୍ଗଲ ମଧ୍ୟରେ ସାଧାରଣ ଜନତା ପ୍ରବେଶ କରିବା ତ ଦୂରର କଥା, ଏଠି ମାଛି ପଡିଲେ ନବଖଣ୍ଡ । କିନ୍ତୁ ଏହାର ସୁଯୋଗ ନେଇ ବନ ବିଭାଗ କର୍ମଚାରୀ ଶାଗୁଆନ କାଠ ଚୋରୀ କରି ମାଫିଆଙ୍କୁ ବିକ୍ରୀ କରୁଥିବା ଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି । କେବଳ ଅଭିଯୋଗ ନୁହେଁ, ବନ ବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀ ଆଣ୍ଠେଇ ବସେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି ।
ବନ ସୁରକ୍ଷାରେ ନିୟୋଜିତ ଥିବା କର୍ମଚାରୀ ମାନେ ଗଛ କାଟି ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡି ହଟହଟା ହୋଇଛନ୍ତି । ଜଙ୍ଗଲର ସୁରକ୍ଷା ଦାୟିତ୍ୱ ସିଆରପିଏଫ ହାତକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହସ୍ତାନ୍ତର କରିଥିଲେ । ଉକ୍ତ ସମୟ ଠାରୁ ଜଙ୍ଗଲ ସୁରକ୍ଷିତ ଥିଲା । କିନ୍ତୁ ସିଆରପିଏଫ ଅପସାରଣ ପରେ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି । ଉଲ୍ଲେଖ ଯୋଗ୍ୟ ଯେ, ଜଙ୍ଗଲର ରକ୍ଷଣା ବେକ୍ଷଣର ଦାୟିତ୍ୱ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀ ମାନଙ୍କ ଉପରେ ନ୍ୟସ୍ତ କରା ଯାଇଥିବା ବେଳେ ଆଜି ଅରାଙ୍ଗ ସଂରକ୍ଷିତ ଜଙ୍ଗଲ ଧୂଆଁନଳୀ ବିଟ ଅନ୍ତର୍ଗତ କିଆ ଗୋରଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଙ୍ଗଲ ଦାୟିତ୍ୱରେ ଥିବା ଗ୍ରାମବାସୀ ଫରେଷ୍ଟ ବିଭାଗର ତିନିଜଣ କର୍ମଚାରୀଙ୍କୁ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ବେଳେ ଅଟକ ରଖିଛନ୍ତି । ସୂଚନା ଅନୁଯାୟୀ, ସକାଳ ସମୟରେ ଜଙ୍ଗଲ ବିଭାଗର ସାତ ଜଣ କର୍ମଚାରୀ ଏବଂ କାଠ କଟାଳି ପାଖାପାଖି ୧୫ ଫୁଟ ଗୋଲେଇ ଏକ ଶଗୁଆନ ଗଛକୁ କାଟି ସାରିଥିବା ବେଳେ ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ । କଟାଳି ଏବଂ କିଛି କର୍ମଚାରୀ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଜଙ୍ଗଲ ବିଭାଗର ତିନିଜଣ କର୍ମଚାରୀଙ୍କୁ ଗ୍ରାମବାସୀ କାବୁ କରି ଉକ୍ତ ଜାଗାରେ ଆଣ୍ଠୁମାଡ଼ି ବସାଇ ଦେଇଥିଲେ । ସମ୍ପୃକ୍ତ କର୍ମଚାରୀ ମାନେ ହେଲେ ବନପାଳ ଦୁଃଶାସନ ନାୟକ ଏବଂ ଅନ୍ୟ ଦୁଇଜଣ ବନରକ୍ଷୀ ବୋଲି ଜଣାପଡିଛି । ଖବର ପାଇ ବାଣପୁର ପୋଲିସ ତରଫରୁ ଏସଆଇ ପ୍ରସନ୍ନ ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି । ଅପରପକ୍ଷେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରାଯିବାରୁ ଉକ୍ତ ଗଛଟି ୯୦ ପ୍ରତିଶତ ନଷ୍ଟ ହୋଇ ଯାଇଥିବା ବେଳେ ଦୁର୍ଘଟଣାରୁ ବର୍ତ୍ତିବା ନିମନ୍ତେ କାଟିବା ପାଇଁ ନିର୍ଦ୍ଦେଶ ଦେଇଥିବାର କହିଛନ୍ତି । ଘଟଣା ବିଷୟରେ ଗ୍ରାମବାସୀ ମାନେ ମିଛ ଅଭିଯୋଗ କରିବା ସହ ବନ କର୍ମଚାରୀଙ୍କୁ ମାଡ଼ ମାରିଥିବାର ଶ୍ରୀ ମହାନ୍ତି ପାଲଟା ଅଭିଯୋଗ ଆଣିଛନ୍ତି । ତେବେ ଗ୍ରାମବାସୀ ତାଙ୍କ ଜିଦରେ ଅଟଳ ଅଛନ୍ତି ଏବଂ ସିଧାସଳଖ ବନବିଭାଗର କର୍ମଚାରୀ ମାନେ କାଠ ଚୋରି କରି ନେଉଥିବାର ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବାଣପୁର ପୋଲିସ ସେଠାରେ ଉପସ୍ଥିତ ଅଛି ।

