ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୁମାର ପୂର୍ଣ୍ଣିମାରେ ଘଟିଛି ଅଘଟଣ । ସୁନା ଚେନ୍ ଦାବି କରି ନବ ବିବାହିତାକୁ ଶ୍ସଶୁଘର ଲୋକେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିରେ ଏଭଳି ଏକ ଅବାବନୀୟ ଘଟଣା ଘଟିଯାଇଛି । ଅଭିଯୋଗ ମୁତାବକ, ୪/୫ ମାସ ତଳେ ଟାଙ୍ଗୀ ଥାନା କୁହୁଡି ଗ୍ରାମର ଦଣ୍ଡପାଣୀ ମହାପାତ୍ରଙ୍କ ଝିଅ ମୀନତୀ ଜରିପଡା ଚିଲିକା ସାହିର ଗଙ୍ଗାଧର ଉଦଣ୍ଡରାୟଙ୍କ ପୁଅ ତୋଫାନ ଉଦଣ୍ଡ ରାୟଙ୍କୁ ବିବାହ କରିଥିଲେ । ତେବେ ଅଧିକ ଯୌତୁକ ଦାବି କରି ତୋଫାନଙ୍କ ପରିବାର ଲୋକେ ମୀନତୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ମୀନତୀଙ୍କ ବାପ ଘର ଲୋକେ ଜରିପଡାରେ ପହଞ୍ଚି ତୋଫାନଙ୍କୁ ବାରମ୍ବାର ବୁଝାଶୁଝା କରିଥିଲେ । ଗତ ୩ ଦିନ ତଳେ ମୀନତୀଙ୍କ ବାପ ଘର ପକ୍ଷରୁ ମୀନତୀ ଓ ତାଙ୍କ ସ୍ୱାମୀ ତୋଫାନଙ୍କ ପାଇଁ କୂମାରପୂର୍ଣ୍ଣିମା ଭାର ପଠାଇଥିଲେ । ତେବେ ମୀନତିଙ୍କୁ ବାପ ଘରୁ ସୁନା ଚେନ୍ ଆଣିବା ପାଇଁ ଦାବି କରି ବିଫଳ ହେବାରୁ ଶାଶୁ ଘର ଲୋକେ ମୀନତିଙ୍କ ତଣ୍ଟି ଚିପି ମାରି ଦେଇଥିବା ମୀନତୀଙ୍କ ବାପ ଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲିକ ମାମଲା ରୁଜୁ କରି ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଆଇଆଇସି ବିଜୟ ମଲ୍ଲିକ ପହଞ୍ଚି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।
ସୁନା ଚେନ୍ ଦାବି କରି ନବ ବିବାହିତାକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ : ୩ ଜଣଙ୍କୁ ଅଟକ ରଖିଛି ଟାଙ୍ଗୀ ପୋଲିସ୍ !!!

