Site icon Awaj Media

ବାଣପୁର ଥାନା ଅଞ୍ଚଳରେ ପ୍ରାକ ନିର୍ବାଚନୀ ହିଂସା : ମହିଳା ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରାକ ନିର୍ବାଚନୀ ହିଂସା । ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ କିଛି ବ୍ୟକ୍ତି ଜଣେ ପରିବାରକୁ ଧମକାଇବା ଏବଂ ଏଥିରେ ରାଜି ନହେବାରୁ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମର ମମତା ତରେଇଙ୍କ ଘରକୁ କିଛି ବ୍ୟକ୍ତି ଯାଇ ତାଙ୍କ ପରିବାର ଥାନାରେ ଦେଇଥିବା ପୁରୁଣା ମାମଲାକୁ ପ୍ରତ୍ୟାହାର କରିବା ପାଇଁ କହିଥିଲେ ଏବଂ ଏଥିପାଇଁ ଯାହା ଟଙ୍କା ସେମାନେ କହିବେ ତାଙ୍କୁ ଦିଆଯିବ ବୋଲି କହିଥିଲେ । ଅନୁରୂପ ଭାବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ବାଧ୍ୟ କରିଥିଲେ । ଯଦି ସେମାନେ ଏପରି ନକରିବେ ତେବେ ତାଙ୍କ ଅବସ୍ଥା ଖରାପ କରିଦେବେ ଏବଂ ଜୀବନରେ ତାଙ୍କ ପରିବାରକୁ ମାରିଦେବାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଧମକ ମଧ୍ୟ ଦେଇଥିବାର ଅଭିଯୋଗ ହୋଇଛି ।

ତେବେ ଏହାକୁ ମମତାଙ୍କ ଶାଶୁ ନିଶାମଣି ତରେଇ ବିରୋଧ କରିବାରୁ ବ୍ୟକ୍ତିମାନେ ସଂଘବଦ୍ଧ ଭାବେ ନିଶାମଣିଙ୍କ ମୁଣ୍ଡ ଏବଂ ହାତକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ନିଶାମଣିଙ୍କ ମସ୍ତିଷ୍କ ଏବଂ ହାତରେ ଗଭୀର କ୍ଷତ ହେବାସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସଙ୍ଗେସଙ୍ଗେ ପରିବାର ବର୍ଗ ନିଶାମଣିଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଆଜି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମମତା ଏ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଉକ୍ତ ଗ୍ରାମର ସୁଜ୍ଞାନୀ ବାରିକ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ଏକ ନିର୍ଦ୍ଦିଷ୍ଟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଥିବା ବେଳେ ନିଶାମଣି ଏବଂ ତାଙ୍କ ପରିବାର ବର୍ଗ ତାଙ୍କୁ ଆକ୍ରମଣ କରିଥିଲେ । ଉଭୟଙ୍କ ଅଭିଯୋଗ ଆଧାରରେ ପୋଲିସ କେଶ ନମ୍ବର ୪୧ ଏବଂ ୪୨ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଅପରପକ୍ଷେ ନିଶାମଣିଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଏନେଇ ବାଲୁଗାଁ ଏସଡିପିଓ ଙ୍କୁ ପଚାରିବାରୁ ନିର୍ବାଚନରେ ବିଶୃଙ୍ଖଳା କରୁଥିବା ବ୍ୟକ୍ତିଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ , ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ସହିତ ଉଭୟ ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Exit mobile version