Site icon Awaj Media

ଚିଲିକା ନିର୍ବାଚନ ମଣ୍ଡଳୀରେ ଉଗ୍ରରୂପ ନେଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ : ପୂର୍ବତନ ବିଧାୟକଙ୍କ ସହ ମୁହାଁମୁହିଁ ହେଲା ଦଳୀୟ କର୍ମୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ଥିବା ବେଳେ ଆଜି ତାହା ବିସ୍ଫୋରଣର ରୂପ ନେଇଥିବା ଦେଖିବାକୁ ମିଳିଛି । ଗତ ବିଧାନସଭା ନିର୍ବାଚନରେ ରଘୁନାଥ ସାହୁଙ୍କ ସହଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ବିଧାୟକ ହୋଇଥିବା ବେଳେ ଧୀରେ ଧୀରେ ରଘୁନାଥ ସାହୁଙ୍କୁ ଶ୍ରୀ ଜଗଦେବ କଣଠେସା କରୁଥିବା ଅଭିଯୋଗ ହେଉଥିଲା । ପରିସ୍ଥିତି ଏପରି ହେଲା ଯେ, ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନର ଶେଷ ମୁହୂର୍ତ୍ତ ଯାଏଁ ରଘୁନାଥ ସାହୁ ତାଙ୍କ ସମର୍ଥକଙ୍କୁ ଟିକେଟ ପାଇଁ ଭରସା ଦେଇଥିଲେ ସୁଦ୍ଧା ତାହାବି ଫସର ଫାଟିଗଲା । ଦଳ ପକ୍ଷରୁ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ମାନେ ଟିକେଟ ପାଇଲେ ।

ଦଳୀୟ ନିଷ୍ପତ୍ତି କ୍ରମେ ଟିକେଟ ବଣ୍ଟନ ହେବା ପରେ ରଘୁନାଥ ସାହୁ ନିର୍ବାଚନ ପ୍ରକ୍ରିୟାରେ ନିରବ ଅଛନ୍ତି । କିନ୍ତୁ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମାଳି ଗୋବିନ୍ଦପୁର ଗ୍ରାମକୁ ରଘୁନାଥ ସାହୁ ଆସିଥିବା ବେଳେ ତାଙ୍କୁ ବିଜେଡିର ପ୍ରାର୍ଥୀମାନେ ପ୍ରବଳ ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ଯେ, ରଘୁନାଥ ସାହୁ ଦଳରେ ଥାଇ ମଧ୍ୟ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏବଂ ଘର ଶତ୍ରୁ ବିଭୀଷଣ ଭୂମିକା ନିଭାଉଛନ୍ତି । ତେବେ ରଘୁନାଥ ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି । ଜନସାଧାରଣଙ୍କୁ ଭେଟିବା ତାଙ୍କର ମୌଳିକ ଅଧିକାର , ତାଙ୍କୁ ଏଥିରୁ କଣ ପାଇଁ ବାରଣ କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ଅନୁରୂପ ଭାବେ ତାଙ୍କ ନିକଟକୁ ବିଜେଡି ପ୍ରାର୍ଥି ମାନେ ଏଯାବତ ଆସି ନଥିବାର କିମ୍ବା ଜଣାଇ ନଥିବାର କହିଛନ୍ତି ରଘୁନାଥ ସାହୁ । ହେଲେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ସହ ମୁହଁମୁହିଁ ପରିସ୍ଥିତି ହେବା କ୍ଷଣି ବାଲୁଗାଁ ଏସଡିପିଓ ଏବଂ ବାଣପୁର ଆଇଆଇସି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିବାର ଦେଖା ଯାଇଥିଲା । ତେବେ ସେ ଯାହା ବି ହେଉନି ନା କାହିଁକି ଚିଲିକାରେ ବର୍ତ୍ତମାନ ନିର୍ବାଚନ ରାଜନୀତି ରୋଚକ ମୋଡ ନେବାରେ ଲାଗିଛି । ଦଳରେ ଅଲୋଡ଼ା ରଘୁନାଥ ସାହୁ ପୁଣି ଥରେ ଚଳିତ ପଞ୍ଚାୟତ ନିର୍ବାଚନରେ କିଙ୍ଗ ମେକର ସାବ୍ୟସ୍ତ ହେବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

 

Exit mobile version