Site icon Awaj Media

ନିର୍ବାଚନୀ ହିଂସା ରୋକିବା ଲାଗି ବାଣପୁର ପୋଲିସର ଫ୍ଲାଗ ମାର୍ଚ୍ଚ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ ବସିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁଙ୍କ ମିଳିତ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଭେଟେଶ୍ୱର ଏବଂ ଗାଲୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି । ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅପରାଧ ମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବା ପାଇଁ ବାଣପୁର ପୋଲିସ ଅଣ୍ଟା ଭିଡିଛି । ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ କହିଛନ୍ତି ।

ସୂଚନା ଥାଉକି ବାଣପୁର ବ୍ଲକର ଏକାଧିକ ଗ୍ରାମରେ ପଞ୍ଚାୟତ ନିର୍ବାଚନ ଅବ୍ୟହତି ପୂର୍ବରୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । ଅଦ୍ୟାବଧି ବାଣପୁର ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୩୭୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଆଇଆଇସି ଶ୍ରୀ ସାହୁ କହିଛନ୍ତି । ଅନୁରୂପ ଭାବେ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୪୦୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କ ବିରୋଧରେ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକ କହିଛନ୍ତି ।

Exit mobile version