Site icon Awaj Media

ବାଣପୁର ଅଞ୍ଚଳରେ ରାଜନୈତିକ ହିଂସା : ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ , ସାମ୍ବାଦିକ ଆହତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ବାଣପୁର ବ୍ଲକର ଭେଟେଶ୍ଵର ପଞ୍ଚାୟତରେ ଏକ ବଡ ଧରଣର ରାଜନୈତିକ ହିଂସା ଦେଖିବାକୁ ମିଳିଛି । ପଞ୍ଚାୟତର ସରପଞ୍ଚ ତଥା ଚଳିତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଆକ୍ରମଣରେ ସରପଞ୍ଚ ଜିତେନ୍ଦ୍ର ଭୋଳ ଆହତ ହୋଇଥିବା ବେଳେ ତାଙ୍କ କାରଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ଫଳରେ ସରପଞ୍ଚଙ୍କ ସମର୍ଥିତ କର୍ମୀମାନେ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିବା ବେଳେ ରାତ୍ରିରେ ଏକ ବଡ ଧରଣର ହିଂସା ଦେଖିବାକୁ ମିଳିଛି । ଏଥିରେ ବିଜେପି ଆଉ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା । ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କୁ ୩୦ ରୁ ୪୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜିତେନ୍ଦ୍ର କୌଣସି କାର୍ଯ୍ୟ ପାଇଁ ବାଣପୁର ବଜାରକୁ ଯାଉଥିବା ବେଳେ ତାଙ୍କୁ ସଙ୍ଘବଦ୍ଧ ଭାବେ ୩୦ ରୁ ୪୦ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ କାର ଭାଙ୍ଗିରୁଜି ଯାଇଥିବା ବେଳେ ସେ ଆହତ ହୋଇଥିଲେ । କିନ୍ତୁ ଏହି ଘଟଣା ପଞ୍ଚାୟତରେ ପ୍ରସାରିତ ହେବା ପରେ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତଙ୍କ ଘର ଏବଂ ଗାଡିକୁ ଭାଙ୍ଗି ଚୁରମାର କରି ଦେଇଥିଲେ । ସୌଭାଗ୍ୟବଶତଃ ଅଭିଯୁକ୍ତଙ୍କ ପରିବାର ଲୋକେ ଘରେ ଉପସ୍ଥିତ ନଥିଲେ । ଅଧିକ କ୍ଷତି ହେବା ପୂର୍ବରୁ ବାଣପୁର ଥାନାଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ଵରେ ଶତାଧିକ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେପଟେ ଜିତେନ୍ଦ୍ରଙ୍କ ବଡ ଭାଇ ପ୍ରଦୀପ ଭୋଳ ଏବଂ ନିଲୁ ଭୋଳ ଏତଲା ଦେବା ପାଇଁ ଥାନାରେ ପହଞ୍ଚିଥିବା ବେଳେ ଶାସକ ଦଳର ଶତାଧିକ କର୍ମୀମାନେ ଥାନା ପରିସର ମଧ୍ୟରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହା ଜାଣିବା ପରେ ଜିତେନ୍ଦ୍ରଙ୍କ ସମର୍ଥକ ମାନେ ଆହୁରି ଉଗ୍ର ରୂପ ଧାରଣ କରିଥିଲେ । ଉତ୍ତ୍ୟକ୍ତ ଲୋକେ ସେଠାରେ ସରପଞ୍ଚଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହିତ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତୁରନ୍ତ ପ୍ରଦୀପ ଆଉ ନିଲୁଙ୍କୁ ସେମାନଙ୍କ ନିକଟରୁ ଫେରାଇ ଆଣିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଉଭୟଙ୍କୁ ଆଣି ଜିତେନ୍ଦ୍ରଙ୍କ ଜିମା ଦେଇଥିଲା । ଘଟଣାକୁ ନେଇ ଉଭୟ ପକ୍ଷରୁ ଏକାଧିକ ଏତଲା ଥାନାରେ ରୁଜ୍ଜୁ କରାଯାଇଛି । ପୋଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଛି । ସେହିଭଳି ଭାବେ ଅନ୍ୟ ଏକ ଘଟଣାରେ ଆଉ ଜଣେ ବିଜେପି କର୍ମୀଙ୍କୁ ଥାନା ପରିସରରେ ଶାସକ ଦଳର ସମାନ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ମୁତାବକ ତୁମୁରାପୁଟ ପଞ୍ଚାୟତ ନାରଣଦେଇପୁର ଗ୍ରାମରେ ବିଜେପି ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ବିଜେଡି ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଏବଂ କର୍ମୀ ମାନେ ଗତକାଲି ରାତିରେ ଆକ୍ରମଣ କରିଥିଲେ । ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉକ୍ତ ସମୟରେ ବାଣପୁର ବିଜେପି ନଗର ମଣ୍ଡଳ ସମ୍ପାଦକ ସୁକାନ୍ତ ସାହୁ ଥାନାରେ ଉପସ୍ଥିତି ଥିବାବେଳେ ତାଙ୍କୁ ବିଜେଡି କର୍ମୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବା ପାଇଁ ସୁକାନ୍ତ ପୋଲିସ କ୍ୱାର୍ଟରରେ ପଶି ଯାଇଥିଲେ । କିନ୍ତୁ ଏହି ଆକ୍ରମଣ ସମୟରେ ଭିଡିଓ ଉତ୍ତୋଳନ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତିଙ୍କୁ ମଧ୍ୟ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଖବର ରହିଛି । ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ଜଣକ ମଧ୍ୟ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଚିଲିକାର ସମସ୍ତ ସାମ୍ବାଦିକ ଏହାକୁ କଡା ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ପରବର୍ତ୍ତୀ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥାନାରେ ଆସି ତାଙ୍କ କର୍ମୀଙ୍କ ଘର ଭାଙ୍ଗିଥିବା ଏବଂ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।
ତେବେ ଏନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ । ବିଜୁ ଜନତା ଦଳ ଚିଲିକାରେ ହାରିବ ବୋଲି ଜାଣି ସାରିଥିବାରୁ ଏପରି କାଣ୍ଡ କରିଥିବାର କହିଛନ୍ତି । ଏହା ସହିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଥାନା ମଧ୍ୟରେ ବିରୋଧୀ ଦଳର କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏକ ଦୁର୍ଭାଗ୍ୟଜନକ ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ଏ ନେଇ ଖୁବଶୀଘ୍ର ଡ଼ିଜିପିଙ୍କୁ ଭେଟିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ଆଇନ ଉପରେ ବିଜେପିର ସଂପୂର୍ଣ୍ଣ ବିଶ୍ଵାସ ଥିବା ବେଳେ ଦୋଷୀଙ୍କ ଉପରେ କଡା ପଦକ୍ଷେପ ନିଆଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । କିନ୍ତୁ ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ଇଟାର ଜବାବ ପଥରରେ ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Exit mobile version