ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ରାଜନୈତିକ ଆକ୍ରୋଶରୁ ହତ୍ୟାର ଶିକାର ହୋଇଥିବା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗାଁର ବିଜେପି କର୍ମୀ ସାଗର ପ୍ରଧାନଙ୍କ ପରିବାରକୁ ଆଜି ବିଜେପି ବିଧାୟକ ମଣ୍ଡଳୀ ଭେଟି ସମବେଦନା ଜଣାଇଛନ୍ତି । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଳସରା ବିଧାୟକ ଭବାନୀ ଭୋଇ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ମୃତ ସାଗରଙ୍କ ବାପା, ଭାଇ, ସ୍ତ୍ରୀ ଓ ପୁଅକୁ ଭେଟି ଶୋକ ବ୍ୟକ୍ତ କରିଥିଲେ । ଏଥି ସହ ପୁଲିସ ଉପସ୍ଥିତିରେ ସେମାନେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ ବାରମ୍ବାର ସାଗରଙ୍କ ଘରକୁ ଯାଇ ବିଭିନ୍ନ ପ୍ରଶ୍ନ ପଚାରୁଛି, ଯାହା ସେମାନଙ୍କ ପାଇଁ ମାନସିକ ନିର୍ଯାତନା ହୋଇ ଯାଇଛି । ଅନ୍ୟପଟେ ସନ୍ଦେହ ଘେରରେ ଥିବା ଅନ୍ୟ ମାନଙ୍କୁ ପୁଲିସ ତଦନ୍ତ ପରିସର ଭୁକ୍ତ ନ କରିବା ମଧ୍ୟ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛି । ଏଣୁ ପୁଲିସକୁ ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି ମଣ୍ଡଳୀ । ସେହିପରି ମହିଳା ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଏ ଅବସରରେ ଦାବି କରାଯାଇଛି । ଆଜି ବିଧାୟକ ମଣ୍ଡଳୀ ସହ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ଉପ-ସଭାପତି ଚୌଧୁରୀ ପ୍ରଧାନ, ଅମୀୟ ତ୍ରିପାଠୀ, ସାଧାରଣ ସମ୍ପାଦକ ସୁଦୀପ୍ତ ଗଡ଼ନାୟକ, ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ଯଶୋବନ୍ତ ପ୍ରସାଦ ବେହେରା, ବରିଷ୍ଠ ବିଜେପି ନେତା ଯଯାତୀ କେଶରୀ ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଅଜିତ୍ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ ଜରପଡା ମଣ୍ଡଳର ବହୁ ସରପଞ୍ଚ ତଥା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

