Site icon Awaj Media

ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଅଭିଯୁକ୍ତ ଅମିତାଭ ଦାସର ମୃତ୍ୟୁ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦୀର୍ଘ ୨୨ ବର୍ଷ ଧରି ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା କାଟୁଥିବା ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଅଭିଯୁକ୍ତ ଅମିତାଭ ଦାସ ର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲା । ଗତ ୬ମାସ ଧରି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସେ ଆଖି ବୁଜିଛି । ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଚୌଦ୍ୱାର ଜେଲର୍ ଭୁବେନ୍ଦ୍ର ଭୂୟାଁ ପ୍ରକାଶ କରିଛନ୍ତି । ୨୦୦୦ ମସିହା ଅକ୍ଟୋବର ୨୩ ତାରିଖରେ ଅନୁଗୁଳରେ ଲକ୍ଷ୍ମୀପୂଜା ପାଇଁ ଉତ୍ସବ ମୁଖରିତ ଥିଲା ସହର । ଏହି ସମୟରେ ପୋଷ୍ଟ ଅଫିସ୍ ନିକଟରେ ଥିବା ଏକ କ୍ୱାର୍ଟରରେ ଲିଜାରାଣୀ ଏକୁଟିଆ ଥିଲେ । ଲିଜାରାଣୀଙ୍କ ଭାଇର ଚିକିତ୍ସା ପାଇଁ ତାଙ୍କ ପରିବାର ଭୁବନେଶ୍ଵର ଯାଇଥିଲେ । ଏହାର ସୁଯୋଗ ନେଇ ତିନିଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ ପୋଡି ମାରି ଦେଇଥିଲେ । କ୍ୱାର୍ଟରରୁ ଧୂଆଁ ବାହାରୁଥିବା ଦେଖୁ ସ୍ଥାନୀୟ ଲୋକେ ହୋ ହାଲ୍ଲା କରିଥିଲେ । ପରେ ଏ ଘଟଣାରେ ତିନିଜଣ ଅଭିଯୁକ୍ତ ଥିବା ଜଣାପଡ଼ିଥିଲା । ସେଥିରୁ ଦୁଇ ଜଣ ଅନୁଗୁଳର ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅମିତାଭ ଦାସର ଘର କଟକ ଦେଉଳସାହିରେ ବୋଲି ଜଣା ପଡିଥିଲା । ତାକୁ ଗିରଫ କରାଯିବା ସହ ସଜା ହୋଇଥିଲା । ଏହାପର ଠାରୁ ସେ ଚୌଦ୍ଵାର ଜେଲରେ ରହି ଆସୁଥିଲା । ଚୌଦ୍ବାର ଜେଲ୍‌ରୁ କିଛି ଦିନ ପାଇଁ ତାକୁ ଢେଙ୍କାନାଳ ଓ ଭୁବନେଶ୍ଵର କାରାଗାରକୁ ପଠାଯାଇଥିଲା । ପରେ ପୁନର୍ବାର ଚୌଦ୍ବାର ଜେଲ୍‌କୁ ଫେରିଥିବା ବେଳେ ମୁଖ ଗହ୍ଵର କର୍କଟରେ ସେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଗତ ୬ ମାସ ଧରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।

 

Exit mobile version