Site icon Awaj Media

ବଢୁଛି ମଦ୍ୟପାନ ଜନିତ ସଡ଼କ ଦୁର୍ଘଟଣା : ପୋଲିସର କାର୍ଯ୍ୟାନୁଷ୍ଠାନ କେବେ ???

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ପ୍ରତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ଏକାଧିକ ଦୁର୍ଘଟଣା ମଦ୍ୟପାନ ଲାଗି ହେଉଥିବାର ନଜିର ରହିଛି । ମଦ୍ୟପ ଗାଡ଼ି ଚାଳକ ମାନଙ୍କ ଲାଗି ଅନ୍ୟ ନିରୀହ ଗାଡ଼ି ଚାଳକ ମଧ୍ୟ ଦୁର୍ଘଟଣାର ଶୀକାର ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଏବଂ ଆରଟିଓ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାର ବାରମ୍ବାର ଅଭିଯୋଗ ହେଉଛି । ସହର ହେଉ ଅବା ଗ୍ରାମାଞ୍ଚଳ ସବୁ ସ୍ଥାନରେ ଚୋରା ମଦ ବିକ୍ରି ବ୍ୟାପକ ଭାବରେ ବଢ଼ୁଥୁବା ବେଳେ ମଦ୍ୟପ ଗାଡ଼ି ଚାଳକ ମାନେ ଏହାର ଦୁରୂପଯୋଗ କରୁଛନ୍ତି । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଥିବା ବେଳେ ବାଣପୁର ବାଲୁଗାଁ ଚିଲିକାରେ ଦିନ ହେଉ କି ସନ୍ଧ୍ୟା ଅବା ରାତି ସଦାବେଳେ ମଦ୍ୟପ ଗାଡ଼ି ଚାଳକ ଅନାୟାସରେ ବଜାର ଓ ଗ୍ରାମାଞ୍ଚଳରେ ଘୁରି ବୁଲୁଛନ୍ତି । ଫଳରେ ପ୍ରଚୁର ମଦ୍ୟପାନ ଲାଗି ହୋସରେ ନରହି ମଦ୍ୟପ ଗାଡ଼ି ଚାଳକ ମାନେ ଦୁର୍ଘଟଣା ଘଟାଉଛନ୍ତି । ପ୍ରତିଦିନ ବାଣପୁର ଓ ବାଲୁଗାଁ ମେଡିକାଲରେ ମଦ୍ୟପାନ ଦ୍ୱାରା ଦୁର୍ଘଟଣାର ଶୀକାର ହୋଇ ଏକାଧିକ ବ୍ୟକ୍ତି ଭର୍ତ୍ତି ହେଉଥିବାର ଦେଖାଯାଉଛି । ଗାଡ଼ି ଚଳାଇବା ପାଇଁ ପ୍ରାପ୍ତ ବୟସ ହୋଇନଥିବା କେତେକ ନାବାଳକ ମାନେ ମଧ୍ୟ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳରେ ଦେଖିବାକୁ ମିଳିଛି । ଯଥାଶୀଘ୍ର ପୋଲିସ ଓ ଆରଟିଓ ପକ୍ଷରୁ ମଦ୍ୟପ ଗାଡ଼ିଚାଳକ ଧରପଗଡ଼ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।

Exit mobile version