ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି EOW । ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରୁଥିବା EOW ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି । ଏନେଇ EOW ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ବିଭାଗୀୟ ଏସ୍ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ଚାୱଲାଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀ ଜଣକ EOW ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOW ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଛି । EOW ଅଫିସର ତାଙ୍କୁ ସାଙ୍ଗରେ ନେବା ପୂର୍ବରୁ ଅର୍ଦ୍ଧେନ୍ଦୁ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଚ୍ୟାନେଲ କାମରେ ଜୟପୁର ଯାଇଥିଲେ । ସେଠାରୁ ଫେରି ଜଣେ ବନ୍ଧୁଙ୍କ ଘରେ ବିଶ୍ରାମ ନେଉଥିବା ବେଳେ ପ୍ରାୟ ୨୦ରୁ ୨୫ EOW ଅଫିସର ଆସି ସାଙ୍ଗରେ ଯିବା ଲାଗି କହିଥିଲେ । ୧ ତାରିଖରେ EOW କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ପୂର୍ବରୁ ଦେଇଥିବା କଥାକୁ ଦୋହରାଇଥିଲେ ମଧ୍ୟ ସେମାନେ ତାହା ଶୁଣିବା ମୁଡରେ ନ ଥିଲେ । ଆଜି ସକାଳେ EOW ଅଧିକାରୀ ଚ୍ୟାନେଲ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିବା କଥା କହିଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଏଥିସହ ସେ କହିଛନ୍ତି, ତାଙ୍କ ନାଁ ରେ ଯେଉଁ ଅଭିଯୋଗ ଆସିଛି, ତାହା ସିଭିଲ୍ ନେଚରର । ଏହା ଦୁଇ ଜଣକ ଭିତରେ ଏକ ବ୍ୟାବସାୟିକ ବୁଝାମଣା । ସଂପୃକ୍ତ ବ୍ୟବସାୟୀ ଗଗନଦୀପ ଚାୱଲା ପୁରୁଣା ଜିନିଷ ଦେଇଥିଲେ । ଏନେଇ ତାଙ୍କ ସହ ଚୂଡ଼ାନ୍ତ କଥାବାର୍ତ୍ତା ସରିଛି । ବକେୟା ଟଙ୍କା ଦେବା ଲାଗି ଚେକ୍ ବି ପ୍ରସ୍ତୁତ ହୋଇ ଯାଇଛି । ଏ ସଂପର୍କରେ EOW ଓ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ଜାଣିଛନ୍ତି । ତା’ ପରେ ବି ଏତେ ସଂଖ୍ୟାରେ ଅଫିସର ଆସି ରାତି ଅଧରେ ଯିବାକୁ ପଡ଼ିବ ବୋଲି କହି ଗିରଫ କରିଛନ୍ତି ।
ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା !!!

