Site icon Awaj Media

ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ , କାରଣ ଅସ୍ପଷ୍ଟ . ମୁହଁ ଖୋଲୁନାହାନ୍ତି ପ୍ରଧାନ ଶିକ୍ଷକ , ତଦନ୍ତ ଦାବୀ . କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପଞ୍ଚମ ଶ୍ରେଣୀ ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ ଛାତ୍ରଙ୍କୁ ଘରକୁ ପଠାଇ ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବିଦ୍ୟାଳୟ ପରିସରରେ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଘଟଣା ସମ୍ପର୍କରେ ପଚାରିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ ମୁହଁ ଖୋଲୁ ନାହାନ୍ତି । ସେପଟେ ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଥି ପ୍ରତି ନିଘା ନାହିଁ । ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ନାରା । ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ । ଏହି ନାରା ରେ ଓଡିଶା ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗର ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡ୍ରେସ୍, ଜୋତା, ଖାତା ବହି ଆଦି ସମସ୍ତ ଜିନିଷ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ଏଥି ସହିତ ଛାତ୍ରାବାସର ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠି ଏମିତି କଣ ଘଟିଲା ଯେ, କଟ୍ରିକିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୧ ମ ରୁ ୮ ମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି ବୋଲି ପ୍ରଧାନ ଶିକ୍ଷକ କହୁଥିବା ବେଳେ ବାସ୍ତବ କଥା କିନ୍ତୁ ଭିନ୍ନ । ଏହି ବିଦ୍ୟାଳୟ ରେ ଅଧିକାଂଶ ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାତ୍ରାଧିକ କମ୍ ରହୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପଟେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ଅଧିକାଂଶ ଛାତ୍ର ହଷ୍ଟେଲରେ ରହିବା ବଦଳରେ ହଷ୍ଟେଲ ଛାଡ଼ି ଚାଲି ଯାଉଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ହଷ୍ଟେଲରେ ୨୫ ଜଣ ଛାତ୍ର ରହୁଥିବା ବେଳେ ହଠାତ୍ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ପାଚେରୀ କାନ୍ଥ ଚଢ଼ି ଗାମୁଛାରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ହଷ୍ଟେଲର କିଛି ଛାତ୍ର ଦେଖି ତାକୁ ଉଦ୍ଧାର କରିଥିଲେ । ହେଲେ କାହିଁକି ଏଭିଳି କାର୍ଯ୍ୟ କ’ଣ ପାଇଁ କରୁଥିଲେ ବୋଲି ସମ୍ପୃକ୍ତ ଛାତ୍ରଙ୍କୁ ପଚାରିବାରୁ ସେ କିଛି କହି ନଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦାୟୀତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ବୁଦ୍ଧିଜୀବୀ । ସେପଟେ ମୁଁ କାର୍ଯ୍ୟାଳୟରେ ବସି କାମ କରୁଥିଲି ଏବଂ ଏବିଷୟରେ କିଛି କହି ପାରିବିନି ବୋଲି ପ୍ରକାଶ କରିଛନ୍ତି ପ୍ରଧାନଶିକ୍ଷକ । ଘଟଣାପରେ ସମ୍ପୃକ୍ତ ଛାତ୍ରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ କିଶୋର ପ୍ରଧାନ । ସୂଚନା ପ୍ରକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜେ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ୍ ଥିବାବେଳେ ବିଦ୍ୟାଳୟ ପରିସରରେ ରହୁ ନାହାନ୍ତି । ବିଦ୍ୟାଳୟର ପିଅନ ହାତରେ ହଷ୍ଟେଲ୍ ଦାୟିତ୍ଵ ଦେଇ ନିଜ ମନ ମୁତାବକ ବିଦ୍ୟାଳୟକୁ ଯାଉଥିବା ଯୋଗୁଁ ଏଭଳି ଘଟଣା ଘଟିବାସହ ଅନ୍ତେବାସୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭବିଷ୍ୟତରେ ଯଦି ଆଉ କୌଣସି ଛାତ୍ରଙ୍କ କିଛି ଅସୁବିଧା ହୁଏ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସତର୍କ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

Exit mobile version