Site icon Awaj Media

ବାଲୁଗାଁରେ ଦୁଇ ମୋବାଇଲ ଲୁଟେରା ଗିରଫ : ୧୦ ଫୋନ ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ଖୋର୍ଦ୍ଧା ରୋଡ଼ ଜିଆରପି ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛନ୍ତି । ଉକ୍ତ ଦୁଇ ଲୁଟେରା ଟାଙ୍ଗୀ ଏବଂ ବାଣପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରୁ ଟ୍ରେନ ଯାଉଥିବା ସମୟରେ ଯାତ୍ରୀଙ୍କ ଠାରୁ ମୋବାଇଲ ଛଡାଇ ଫେରାର ହୋଇ ଯାଉଥିଲେ । ତେବେ ଦୀର୍ଘ ଦୁଇ ଦିନର ଅପରେସନ ପରେ ଗିରଫ ହୋଇଛନ୍ତି ଉକ୍ତ ଦୁଇ ଅଭିଯୁକ୍ତ । ସେମାନଙ୍କ ନିକଟରୁ ୬ ଗୋଟି ସ୍ମାର୍ଟ ଫୋନ ଏବଂ ୪ ଗୋଟି କି ପ୍ୟାଡ଼ ଫୋନ ଜବତ କରିଛି ରେଳବାଇ ପୋଲିସ , ଯାହାର ମୂଲ୍ୟ ୯୬ ହଜାର ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେଶ ନମ୍ବର ୧୦୬ / ୨୨ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିବାର ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି । ସୂଚନା ଥାଉକି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନର ବାଲୁଗାଁ ସମେତ ବିଭିନ୍ନ ଷ୍ଟେସନରେ ବାରମ୍ବାର ମୋବାଇଲ ଲୁଟ ଅଭିଯୋଗ ହେବା ପରେ ଆରପିଏଫ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଗକୁ ମଧ୍ୟ ଏପରି ଧରପଗଡ଼ ଜାରି ରହିବ ବୋଲି ଆରପିଏଫ କହିଛି ।

Exit mobile version