ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୁଲିସ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ଆଜି ସକାଳେ ନାରଣଦେଇପୁର ଗ୍ରାମର ଶ୍ୟାମ ବାରିକଙ୍କ ପତ୍ନୀ ଲୀଳାବତୀ ବାରିକଙ୍କୁ ଗ୍ରାମର କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଲୀଳାବତୀ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ। ସୂଚନା ପାଇ ବାଣପୁର ପୋଲିସ ଗ୍ରାମରେ ପହଞ୍ଚି ରାସ୍ତାରୁ ଲୀଳାବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଛି । ଡାକ୍ତରଙ୍କ କହିବା ମୁତାବକ ଲୀଳାବତୀଙ୍କ ବେକ ଓ ଛାତିକୁ କେହି ଜଣେ ବଳ ପୂର୍ବକ ଚିପି ଦେଇଛନ୍ତି । ଯାହା ଫଳରେ ଲୀଳାବତୀ କଥାବାର୍ତ୍ତା ମଧ୍ୟ କରି ପାରୁନାହାନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଅଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେପଟେ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି ଲୀଳାବତୀଙ୍କ ପରିବାର ବର୍ଗ ଦାବି କରିଛନ୍ତି । ତେବେ ଏହା ପୂର୍ବ ଶତ୍ରୁତାକୁ ନେଇ ଘଟିଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୁତ୍ତ !!!

