Site icon Awaj Media

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମନା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜଣେ ୯ ବର୍ଷ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୨୧ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋକସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସ୍କ୍ୟୁଟର ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ l ସୂଚନା ଅନୁସାରେ ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକାକୁ ଗତ ୨୨.୦୯.୨୦୧୮ ରିଖ ଦିନ ୨ଟା ବେଳେ ଏକ ପଡ଼ିଆକୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ଚାପି ଧରି ଅପହରଣ କରି ହାତକଟାଜମି ନିକଟସ୍ଥ ଭାଲିଆତୋଟାକୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା । ନାବାଳିକା ଯନ୍ତ୍ରଣାରେ ଚିତ୍କାର କରିବାରୁ ତା’ଛାତିକୁ କାମୁଡିବା ସହିତ ବେକକୁ ଚିପି ଧରି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ନାବାଳିକା ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନ ପାଇବାରୁ ନାବାଳିକାର ପିତା କୋଟଗଡ଼ ଥାନାରେ ଝିଅ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨.୦୯.୨୦୧୮ ରେ ପଞ୍ଜିକରଣ ସହ ଥାନାଧିକାରୀ ଅନୁସନ୍ଧାନ ଜାରି ରଖିଥିଲେ । ନାବାଳିକାର ପିତା ଓ ଗ୍ରାମବାସୀ ମାନେ ହାତକଟାଜମି ନିକଟସ୍ଥ ଭାଲିଆତୋଟା ରେ ଯାଇ ଖୋଜିବାରୁ ନାବାଳିକାର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ି ଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ୍, ପୁଲିସ କୁକୁର ସହାୟତାରେ ଥାନାଧିକାରୀ ଅଭିଯୁକ୍ତକୁ ଗିରଫ ପରେ ଅଦାଲତରେ ହାଜର କରାଇଥିଲେ । ତା ୨୯.୧୦.୨୦୨୨ରିଖରେ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version