Site icon Awaj Media

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ବିଶୃଙ୍ଖଳିତ ଛାତ୍ରକୁ ବହିଷ୍କାର ଦାବିରେ କଲେଜର ମୁଖ୍ୟ ଫାଟକରେ ତାଲା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଶୃଙ୍ଖଳିତ ଛାତ୍ରକୁ ଅନୁଷ୍ଠାନରୁ ବହିଷ୍କାର ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଜଣେ ବିଶୃଙ୍ଖଳିତ ଛାତ୍ରକୁ ବହିଷ୍କାର ଦାବିରେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଓଡ଼ଗାଁ କଲେଜ ପରିସର ମଧ୍ୟରେ କୌଣସି ଏକ ଘଟଣାକୁ କେନ୍ଦ୍ର କରି ରାବେରା ଗ୍ରାମର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ପୂର୍ଣ୍ଣଚନ୍ଦ୍ର ଭୂୟାଁଙ୍କ ସହିତ ଯୁକ୍ତ ୩ ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଙ୍କ ଗଣ୍ଡଗୋଳ ହୋଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି କଲେଜ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଓ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ହସ୍ତକ୍ଷେପ ଫଳରେ ମାମଲା ଥଣ୍ଡା ପଡିଥିଲା, ଦୁଇ ଛାତ୍ର ଗୋଷ୍ଠୀ ନିଜେ ନିଜର ଭୁଲ ବୁଝି କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ କେହି କାହା ପ୍ରତି ଅଶାଳୀନ ବ୍ୟବହାର କିମ୍ବା କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ ଲିଖିତ ଆକାରରେ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏତିକିରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ପୂର୍ଣ୍ଣଚନ୍ଦ୍ରର ରାଗ ଶାନ୍ତ ହୋଇ ନଥିଲା । ପ୍ରତିଶୋଧ ପରାୟଣ ହୋଇ ରାବରା ଗ୍ରାମର କିଛି ଅସାଧୁ ବ୍ୟକ୍ତିଙ୍କ ସହାୟତାରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ରାଜକିଶୋର ପାତ୍ର ଓ ଅମିତ ପଣ୍ଡା ଉଭୟଙ୍କୁ ଅପହରଣ କରି ନେଇ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା । କୌଶଳ କ୍ରମେ ଦୁଇ ଛାତ୍ର ସେଠାରୁ ମୁକୁଳିବା ସହ ଆଜି ଓଡ଼ଗାଁ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଅଧ୍ୟକ୍ଷ ରାଜକିଶୋର ସାହୁ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏ ନେଇ ପୂର୍ଣ୍ଣଚନ୍ଦ୍ରର ବହିଷ୍କାର ଦାବି ସହ ଅପହରଣ ମାମଲା ରୁଜୁ କରିବା ନେଇ ଯୁକ୍ତ ୩ ଛାତ୍ରମାନେ କଲେଜ ଅଧ୍ୟକ୍ଷ ଏବଂ ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଦୁଇ ଛାତ୍ରଙ୍କ ଜୀବନ ପ୍ରତି ବିପଦ ଥିବା ଏତଲାରେ ଦର୍ଶାଇଛନ୍ତି ।

Exit mobile version