Site icon Awaj Media

ସୁକିନ୍ଦାରେ ଗୋଦାମ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଦୁଇ କୁଖ୍ୟାତ ଲୁଟେରା ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ରାସ୍ତାରେ ଦିନ ଦ୍ୱିପହର ଏକ ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଦୁଇ ଲୁଟେରାଙ୍କୁ ସୁକିନ୍ଦା ଥାନା ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକ ଗିରଫ କରିବାରେ ସଫଳ ହୋଇଛନ୍ତି । ଗତ ୪ ତାରିଖରେ ଯାଜପୁର ରୋଡର ଏକ ଘରୋଇ ଗୋଦାମ କର୍ମଚାରୀ କଲେକ୍ସନ ପାଇଁ ସୁକିନ୍ଦା ଆସିଥିବା ବେଳେ ସୁକିନ୍ଦା ବ୍ଲକ ରାସ୍ତାର ଏକ ଦୋକାନ ସାମ୍ନାରେ ବାଇକ ରଖି ନିକଟ ଦୋକାନରୁ ଟଙ୍କା ସଂଗ୍ରହ କରୁଥିବା ସମୟରେ କେହି ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକ ୨୧୭/୨୨ରେ ଏକ ମାମଲା ଦାୟର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସେହି ସ୍ଥାନ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାକୁ ଗମ୍ଭୀରତା ସହ ନେଇ ଖୋଳତାଡ ଜାରି ରଖିଥିଲେ । ଶୁକ୍ରବାର ରାତିରେ ସୁକିନ୍ଦା ପୋଲିସ ଓ ଯାଜପୁର ରୋଡ ଆଦର୍ଶ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ମୁଣ୍ଡମାଳ ଗ୍ରାମରୁ ବିଜୟ ଦାସଙ୍କ ପୁଅ 21 ବର୍ଷୀୟ ରାଜେଶ ଦାସ ଓ ପେଣ୍ଠେଇ ପ୍ରଧାନଙ୍କ 20 ବର୍ଷୀୟ ପୁଅ ମୁନା ପ୍ରଧାନକୁ ଗିରଫ କରିଥିଲେ । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୨୫ ରୁ ଉର୍ଦ୍ଧ ମାମଲା ଥିବା ଜଣାପଡିଛି । ସେମାନଙ୍କ ଠାରୁ ନଗଦ 60 ହଜାର ଟଙ୍କା ଓ ଚୋରୀ ସମୟରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିବା ସହ ଅଭିଯୁକ୍ତ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ଅନ୍ୟ ଜଣେ ସହଯୋଗୀକୁ ବହୁତ ଜଲଦି ଗିରଫ କରାଯିବ ବୋଲି ଥାନାର ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକଙ୍କ ପକ୍ଷରୁ ସୂଚନା ମିଳିଛି ।

Exit mobile version