Site icon Awaj Media

ପଦାକୁ ଆସିଲା ଯନ୍ତ୍ରୀ–ଠିକାଦାର ଙ୍କ ମଧୁଚନ୍ଦ୍ରିକା : ଛଡ ବଦଳରେ ବ୍ୟବହାର ହୋଇଛି କାଠ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚେକଡ୍ୟାମ ନିର୍ମାଣରେ ମହା ଦୁର୍ନୀତି ! ଛଡ ବଦଳରେ କାଠରେ ନିର୍ମାଣ ହୋଇଛି ଚେକଡ୍ୟାମ !! କଂକ୍ରିଟ ବଦଳ ରେ ବାଲି ବସ୍ତା, ଇଟା !!! ପଦାକୁ ଆସିଲା ଯନ୍ତ୍ରୀ–ଠିକାଦାର ଙ୍କ ମଧୁଚନ୍ଦ୍ରିକା !!!! ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ସରକାରଙ୍କ ଅର୍ଥରେ ଜନସାଧାରଣଙ୍କ ପାଇଁ ନିର୍ମାଣ ହେଉଥିବା କୋଟି କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ହାତ ବାରିଶ କରି ଅର୍ଥ ଲୁଟୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ ବର୍ତମାନ ସମୟରେ ମହିପୁର ପଂଚାୟତରୁ ଏକ ସାଂଘାତିକ ଅଭିଯୋଗ ଆସିଛି । ଏକ ଚେକଡ୍ୟାମ ନିର୍ମାଣ କାର୍ଯ୍ୟରେ ଛଡ ବ୍ୟବହାର କରିବା ବଦଳରେ କାଠ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ବିଲ ହଡପ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଯାହାଫଳରେ ସରକାରୀ ଅର୍ଥ ବାଟମାରଣା କରିବାରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ହେଉଥିବା ମଧୁଚନ୍ଦ୍ରିକା ପଦାରେ ପଡିଛି ।

ତମର ଅଧେ କୁ ଆମର ଅଧେ ନ୍ୟାୟରେ ମହିପୁର ପଂଚାୟତ ମରାଙ୍ଗନାଳ ଚେକଡ୍ୟାମ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି । ୨୦୧୭ – ୧୮ ଆର୍ଥିକ ବର୍ଷରେ ପଥରପାଟଣା ଗ୍ରାମ ନିକଟରେ ଥିବା ମରାଙ୍ଗନାଳରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଏହି ସ୍ଥାନଟି ନିଛାଟିଆ ଅଂଚଳରେ ପଡୁଥିବା କାରଣରୁ ଦାୟିତ୍ବରେ ଥିବା ଯନ୍ତ୍ରୀ ଏବଂ ଠିକାଦାର ମିଳିତ ଭାବେ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ । ଏହି କାର୍ଯ୍ୟ ନିମନ୍ତେ ସିମେଣ୍ଟ , ଛଡ, ବାଲି, ଚିପ୍ପ ଓ ମେଣ୍ଟାଲ ଆବଶ୍ୟକ ପଡୁଥିବା ବେଳେ କିନ୍ତୁ ଏଠାରେ ଦାୟିତ୍ବରେ ଥିବା ଯନ୍ତ୍ରୀ ଛଡ ବଦଳରେ କାଠ ବ୍ୟବହାର କରିଥିଲେ । ତତସହିତ କଂକ୍ରିଟ ଭିତରେ ଇଟା ଏବଂ ବାଲି ବସ୍ତା ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ହେଲେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିଲେ ସୁଦ୍ଧା ନିଜେ କାମ କରି ନିଜେ ବିଲ୍ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ କୌଣସି ଅସୁବିଧା ହୋଇନଥିଲା ଏବଂ ଏଥି ନିମନ୍ତେ ଏହି କାର୍ଯ୍ୟ ପାଇଁ ୪ ଲକ୍ଷ ୮୦ ହଜାର ଟଙ୍କା ବିଲ କରାଯାଇଥିଲା । ହେଲେ କାର୍ଯ୍ୟ ଶେଷ ହେବାର କିଛି ବର୍ଷ ଯିବା ପରେ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଦ୍ବାରା ହୋଇଥିବା ନିମ୍ନମାନର କାମ ସାମ୍ନାକୁ ଆସିଛି । ପ୍ରାୟ ସ୍ଥାନରେ ଛଡ ବଦଳରେ କାଠ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଏହି ନିମ୍ନମାନର କାର୍ଯ୍ୟ ପଛରେ କେଉଁ କେଉଁ ବିଭାଗୀୟ ଅଧିକାରୀଙ୍କର ହାତ ରହିଛି ତାହା ଜଣା ପଡିନାହିଁ । ତେବେ ଏନେଇ ନୟାଗଡ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା | ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା କୁ ସାଧାରଣ ରେ ଦାବି ହେଉଛି ।

Exit mobile version