Site icon Awaj Media

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ – ତିନୋଟି ମୃତ ପକ୍ଷୀ ସମେତ ବନ୍ଧୁକ ଜବତ : ଶିକାରୀ ଗିରଫ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ମରାଳ ମାଳୀନି ନୀଳାମ୍ବୁ ଚିଲିକା ଏବେ ଦେଶୀ – ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଥିବା ବେଳେ ଗନ୍-ପଏଣ୍ଟ୍ ରେ ଚାଲିଛି ପକ୍ଷୀ ଶିକାର । ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିବାରେ ଲାଗିଛି । ଏତେ ଅପରୂପ ସୌନ୍ଦର୍ଯ୍ୟ ପାଇଁ ଚିଲିକା ରାଣୀର ଉପକୂଳ ବର୍ତ୍ତମାନ ପର୍ଯ୍ୟଟକଙ୍କର ସ୍ବର୍ଗ ପାଲଟି ଯାଇଛି । ଏହାରି ମଧ୍ୟରେ କିଛି ଅର୍ଥଲୋଭି ଅପରାଧୀ ମାନଙ୍କ ଦ୍ଵାରା ବେଳେ ବେଳେ ପକ୍ଷୀ ଶିକାର ପାଇଁ କେତେବେଳେ ଚିଲିକାରେ ବନ୍ଧୁକ ଗର୍ଜନ କରୁଛି ତ କେତେବେଳେ ଫ୍ୟୁରାଡନ ବିଷ ପ୍ରୟୋଗରେ ଢଳି ପଡୁଛନ୍ତି ନିରୀହ ବିଦେଶୀ ପକ୍ଷୀ ଗୁଡ଼ିକ । ଆଉ ସେହିଭଳି ବନ୍ଧୁକ ମୁନରେ ଚିଲିକା ରେ ଦେଶୀ – ବିଦେଶୀ ପକ୍ଷୀ ଶିକାର ହେଉଥିବା ଅଭିଯୋଗ କୁ ଭିତ୍ତି କରି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେତେକ ସ୍ବାର୍ଥଲୋଭି ନିର୍ଦୟ ପକ୍ଷୀ ଶିକାରୀ ସମୟ ସୁବିଧା ଦେଖି ଲୁଚା ଛପାରେ ପକ୍ଷୀ ଶିକାର କରୁଛନ୍ତି । ଏହିଭଳି ଏକ ଘଟଣାରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଜଣଙ୍କୁ ଗିରଫ କରିଛି ! ପୁରୀ ଜିଲ୍ଲା କଣାସ ଥାନା ଅଧିନସ୍ଥ ଗଡ-ଜଙ୍କିଆ ଗ୍ରାମର ଉପେନ୍ଦ୍ର ସେଠୀ ନିଜର ଏକ ଚୋରା ବନ୍ଧୁକ ରେ ଚିଲିକା ରେ ବିଦେଶୀ ପକ୍ଷୀ ଶିକାର କରିବା ବେଳେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗିରଫ ହୋଇଥିବା ଜଣାପଡିଛି । ତାଙ୍କ ଠାରୁ ୩ ଟି ମୃତ ବିଦେଶୀ ପକ୍ଷୀ ଓ ଗୋଟିଏ ବନ୍ଧୁକ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ପକ୍ଷୀ ଶିକାରୀ ଅଭିଯୁକ୍ତ ଉପେନ୍ଦ୍ର ସେଠୀକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଚୂଡ଼ାରାଣୀ ମୂର୍ମୁ ସୂଚନା ଦେଇଛନ୍ତି ।

Exit mobile version