Site icon Awaj Media

ସରକାରୀ ଗୋଚର ଜାଗା ରୁ ଗଛକାଟି ଚାଲାଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସରକାରୀ ଏବଂ ଗୋଚର ଜାଗା ରୁ ଲେମ୍ବେରୀ ଗ୍ରାମବାସୀଙ୍କ ଦ୍ୱାରା ଗଛକାଟି ଚାଲାଣ କରାଯିବା ବନ୍ଦ କରାଯିବାକୁ ଦାବି କରି ବାଙ୍କୀ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ! ବାଙ୍କୀ ବ୍ଲକ ଲେମ୍ବେରୀ ରାଜସ୍ୱ ମୌଜା ଲେମ୍ବେରୀ ଓ କଦମ୍ବପାଟଣାକୁ ନେଇ ଗଠିତ । ଏହି ରାଜସ୍ୱ ଗ୍ରାମରେ ୫ଗୋଟି ୱାର୍ଡ ଥିବା ବେଳେ ଲେମ୍ବେରୀ ଗ୍ରାମରେ ୩ ଗୋଟି ଓ କଦମ୍ବପାଟଣା ଗ୍ରାମରେ ୨ ଗୋଟି ୱାର୍ଡ ରହିଅଛି । ବହୁଦିନ ଧରି କଦମ୍ବପାଟଣା ଗ୍ରାମକୁ ରାଜସ୍ୱ ଗ୍ରାମ ହିସାବରେ ଘୋଷଣା କରିବା ପାଇଁ ଦାବି ହୋଇ ଆସୁଛି । ଫଳରେ ବାଙ୍କୀ ତହସିଲଦାରଙ୍କ ମାଧ୍ୟମରେ କଦମ୍ବପାଟଣା ପଡାଗ୍ରାମ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ୍ ଜାରି ହେବା ପରେ ଲେମ୍ବେରୀ ଗ୍ରାମର ଲୋକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରୀ ଯୋଜନାକକୁ ବେଖାତିର କରି ଲେମ୍ବେରୀ ଗ୍ରାମର କିିଛି ଅସାମାଜିକ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ସହିତ କଦମ୍ବପାଟଣା ଗ୍ରାମବାସୀ ମାନଙ୍କୁ ଭୟଭୀତ କରାଉଛନ୍ତି । କଦମ୍ବପାଟଣା ପଡାଗ୍ରାମର ନିକଟସ୍ଥ ଗୋଚର ପଡିଆରେ ଗ୍ରାମବାସୀଙ୍କ ତରଫରୁ ୫୦ ବର୍ଷ ତଳୁ କିଛି ସ୍ଥାୟୀ ବୃକ୍ଷ ରୋପଣ କରାଯାଇ ଗାଈ ଗାୟାଳ ଓ ଗୃହପାଳିତ ପଶୁମାନଙ୍କର ଅସ୍ଥାୟୀ ଆଶ୍ରୟ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । କଦମ୍ବପାଟଣା ପଡାଗ୍ରାମର ରାଜସ୍ୱ ଗ୍ରାମର ପରିବର୍ତ୍ତନକୁ ବିରୁଦ୍ଧାଚରଣ କରି ଲେମ୍ବେରୀ ଗ୍ରାମର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏହି ଗୋଚର ପଡିଆରୁ ବହୁ ପୁରାତନ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି । ଏ ସଂପର୍କରେ ଗ୍ରାମବାସୀ ମାନଙ୍କ ତରଫରୁୁ ଜଙ୍ଗଲ ବିଭାଗର ରେଞ୍ଜର, ଫରେଷ୍ଟର ଓ ବାଙ୍କୀ ତହସିଲଦାରଙ୍କୁ ଏହି ଗଛକଟା କାର୍ଯ୍ୟକୁ ରୋକିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ । ରାଜସ୍ୱ ଅଧିକାରୀ ଓ ଜଙ୍ଗଲ ଅଧିକାରୀଙ୍କ ବିନାନୁମତିରେ କିପରି ଜଙ୍ଗଲ କଟାଯାଉଛି ତାହା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣାକୁ ତଦନ୍ତ କରି ସରକାରୀ ଜମିରୁ କାଟି ନିଆଯାଉଥିବା ଗଛକୁ ଜବତ କରାଯିବା ସହିତ କଟାଯାଇ ନଥିବା ଅବଶିଷ୍ଟ କଞ୍ଚାଗଛ ଗୁଡିକୁ ସୁରକ୍ଷିତ ରଖିବା ପାଇଁ କଦମ୍ବପାଟଣାର ଗ୍ରାମ୍ୟ ସଭାପତି ବିପିନି ବିହାରୀ ସାହୁ, ୱାର୍ଡ ସଭ୍ୟ କୁଳମଣି ସାହୁ, ଗ୍ରାମାବାସୀ ଅଚ୍ୟୁତାନନ୍ଦ ସ୍ୱାଇଁ, ଭାଗିରଥି ପ୍ରଧାନ, ଜମୁନା ନାୟକ , ପରମାନନ୍ଦ ସଂଗ୍ରାମ ସିଂହଙ୍କ ସମେତ ବହୁବ୍ୟକ୍ତି ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏ ସଂପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ବାଙ୍କୀ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ !

Exit mobile version