ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ରେଲୱେ ଠିକା ସଂସ୍ଥା କ୍ୟାମ୍ପ ନିକଟରେ ଗୁଳି ମାଡ଼ରେ ଠିକା ସଂସ୍ଥାର ପି. ଏମ ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମୁତାବକ ସୁକିନ୍ଦା ରେଲୱେ ଠିକା ସଂସ୍ଥା କ୍ୟାମ୍ପ ନିକଟରେ ସୋମବାର ବିଳମ୍ବିତ ରାତିରେ କିଛି ସମସ୍ୟାକୁ କେନ୍ଦ୍ରକରି ହୃଦାନନ୍ଦ ମିଶ୍ରଙ୍କ ଗୁଳି ମାଡ଼ରେ ରେଲୱେ ଠିକା ସଂସ୍ଥା ବେକମ୍ ଇନଫ୍ରାର ପ୍ରୋଜେକ୍ଟ ମ୍ୟାନେଜର ସର୍ବନାନ(୪୮)ଙ୍କ ଗୋଡରେ ଗୁଳି ବାଜି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଠିକା ସଂସ୍ଥାର କର୍ମଚାରୀ ଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି । ସେହି ଠିକା ସଂସ୍ଥାରେ କାର୍ଯ୍ୟରତ ହୃଦାନନ୍ଦ ମିଶ୍ରଙ୍କ ସାନ ଭାଇ ସରୋଜ ମିଶ୍ର(ଭାଲୁ)ଙ୍କ ସହ ତାଙ୍କର ବଚସା ହୋଇଥିବା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ହୃଦାନନ୍ଦ ସେହି କ୍ୟାମ୍ପ କୁ ଯାଇଥିବା ବେଳେ ତାଙ୍କୁ ବେକାମ ଇନଫ୍ରାର କର୍ମଚାରୀ ହଠାତ୍ ଆକ୍ରମଣ କରିଥିବାରୁ ସେ ନିଜକୁ ବଞ୍ଚାଇବା ପାଇଁ ବାଧ୍ୟ ହୋଇ ଗୁଳି ଚଳାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏହି ଘଟଣାରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ହୋଇଥିବା ବେଳେ ପୋଲିସ ହୃଦାନନ୍ଦ ମିଶ୍ର ଓ ସରୋଜ ମିଶ୍ରଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।
ସୁକିନ୍ଦା ରେଲୱେ କ୍ୟାମ୍ପ ନିକଟରେ ଗୁଳି ମାଡ଼ : ଜଣେ ଗୁରୁତର !!!

