Site icon Awaj Media

ଦୟାନଦୀ ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଗଡ଼ିଶାଗଦା ଥାନା ଅନ୍ତର୍ଗତ ଦୟାନଦୀର ନୂଆଗାଁ ସେତୁ ନିକଟରୁ ଅଖା ଭିତରେ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଏସପି, ଏସଡିପିଓ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେହିପରି ବିଭିନ୍ନ ଥାନା ସହିତ ନିଖୋଜ ସମ୍ପର୍କିତ ମାମଲା ନେଇ ଯୋଗାଯୋଗ କରାଯାଇଛି। ଘଟଣାକୁ ନେଇ ଗଡ଼ିଶାଗଦା ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଖୁବ ଶୀଘ୍ର ମୃତକଙ୍କ ପରିଚୟ ମିଳିଯିବ ବୋଲି ଆଶା ରଖା ଯାଇଥିବା ଏସପି କହିଛନ୍ତି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ହତ୍ୟା ହୋଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଥିବାରୁ ହତ୍ୟା ମାମଲା ମଧ୍ୟ ରୁଜୁ କରି ତଦନ୍ତ ଚଳାଇଛି । ଗତ କାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ସ୍ଥାନୀୟ ଲୋକେ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଜରି ଅଖା ଦେଖିଥିଲେ‌। ଅଖା ଭିତରୁ ଦୁର୍ଗନ୍ଧ ବାହାରିବା ପରେ ଲୋକେ ସନ୍ଦେହ କରି ପୁଲିସ୍‌କୁ ଜଣାଇ ଥିଲେ। ଗଡ଼ିଶାଗଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଅଖା ଜବତ କରି ଉପରକୁ ଆଣି ଖୋଲିବା ପରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା। ଯୁବତୀଙ୍କ ବୟସ ୩୦ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ସେ ଏକ ୱାନ୍ ଥାର୍ଡ ପ୍ୟାଣ୍ଟ ସହ ଅନ୍ତବସ୍ତ୍ର ପିନ୍ଧିଥିଲେ ଓ ଓଢ଼ଣୀ ପକାଇଥିଲେ। ଯୁବତୀଙ୍କୁ ଏକ ବେଡ଼ସିଟ୍‌ରେ ଗୁଡ଼ାଇ କରି ଅଖାରେ ଭର୍ତ୍ତି କରାଯାଇଥିଲା। ହାତକୁ ପ୍ଲାଷ୍ଟିକ୍ ରଶିରେ ବନ୍ଧା ଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀଙ୍କୁ କିଭଳି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସପି ।

Exit mobile version