Site icon Awaj Media

ମଦ ବେପାରୀ ପରିବାର ଲୋକଙ୍କ ଆକ୍ରମଣରେ ପୁଲିସ କର୍ମଚାରୀ ଗୁରୁତର : ବେପାରୀ ଫେରାର , ୭ ଜଣଙ୍କୁ ଗିରଫ କଲା ବାଣପୁର ପୋଲିସ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଆଇନ ମଦ ବେପାରୀକୁ ଧରିବାକୁ ଯାଇଥିବା ପୁଲିସ ଦଳ ମଦ ବେପାରୀଙ୍କ ପରିବାରର ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ଜଣେ ପୁଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପୁଲିସ ହେପାଜତରୁ ମଦ ବେପାରୀ ଦୈାଡି ଫେରାର ହୋଇଯିବାକୁ ସକ୍ଷମ ହୋଇଛି । ତେବେ ବ୍ୟାପକ ଫୋର୍ସ ସହ ପୁଲିସ ଗ୍ରାମରେ ଚଢାଉ କରି ମଦ ବେପାରୀଙ୍କ ସ୍ତ୍ରୀ ଓ ପୁଅ ସମେତ ସାତ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅଦ୍ୟାବଧି ମଦ ବେପାରୀ ଫେରାର ଅଛି । ଗ୍ରାମରେ ଉତ୍ତେଜନା ଲାଗି ରହିଛି । ବାଣପୁର ଥାନା ଦାଶରଥିପୁର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ବିକ୍ରୟ ହେଉଥିବା ଅଭିଯୋଗ ପାଇ ବୁଧବାରେ ବାଣପୁର ଥାନାରେ କାର୍ଯ୍ୟରତ ଉପ ନିରୀକ୍ଷକ ସୁକାନ୍ତ ଦଳାଇ , ପ୍ରତାପ କୁମାର ସାହୁ ଓ ସତ୍ୟନାରାୟଣ ପ୍ରଧାନଙ୍କ ସହ ଗ୍ରାମରେ ଚଢାଉ କରି ଧୂନିଆ ନାୟକକୁ ଗିରଫ କରିବା ସହ ତା’ଠାରୁ ୩୦ଲିଟର ଦେଶୀ ମଦ ଜବତ କରିଥିଲେ । ତେବେ ଧୂନିଆଙ୍କ ସ୍ତ୍ରୀ ରଜନୀ ଓ ପୁଅ ଦୟାନିଧି ଏଥିରେ ଉତ୍ତକ୍ଷିପ୍ତ ହୋଇ ନିଜର ୧୨ଜଣ ସହଯୋଗୀଙ୍କ ସହ କାତି ଓ ଲାଠି ଧରି ପୁଲିସ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ଏଥିରେ ସତ୍ୟନାରାୟଣ ପ୍ରଧାନ ଗୁରୁତର ଆହତ ହୋଇଥିଲେ । ମାରପିଟର ସୁଯୋଗ ନେଇ ଅଭିଯୁକ୍ତ ଧୂନିଆ ପୁଲିସ ଅଧିକାରୀଙ୍କ ହେପାଜତରୁ ଦୈାଡି ଫେରାର ହୋଇଯାଇଥିଲା । ଏ’ନେଇ ଉପ ନିରୀକ୍ଷକ ସୁକାନ୍ତ ଦଳାଇଙ୍କ ସୂଚନା କ୍ରମେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗୁରୁବାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶ ମତେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭାଂଶ୍ରୁ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଗ୍ରାମରେ ଚଢାଉ କରି ଅଭିଯୁକ୍ତ ଧୂନିଆଙ୍କ ସ୍ତ୍ରୀ ଓ ପୁଅ ସମେତ ଅହଲି ନାୟକ, ଅର୍ଚ୍ଚନା ନାୟକ, ଜାଡି ନାୟକ, ମାନୁ ନାୟକ, ସଞ୍ଜୟ ନାୟକ ପ୍ରମୁଖ ସାତ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛନ୍ତି । ଗ୍ରାମରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ ଧୂନିଆ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଅତି ଶୀଘ୍ର ଗିରଫ କରିବାକୁ ସକ୍ଷମ ହେବ ବୋଲି ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା କହିଛନ୍ତି ।

Exit mobile version