Site icon Awaj Media

ପୋକ୍ସୋ ଆଇନ, ପୀଡ଼ିତ କ୍ଷତିପୂରଣ ଯୋଜନା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ.)ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଆଜି ଅପରାହ୍ନ ୩.୦୦ ଘଟିକା ସମୟରେ ଗୁରାଣ୍ଡିସ୍ଥିତ ଏସ୍.କେ.ସି.ଜି. ଉଚ୍ଚ ବିଦ୍ୟାଳୟ ପରିସରରେ ପୋକ୍ସୋ ଆଇନ, କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ [ଜେ.ଜେ.(ସିପିସି) ଆଇନ], ପୋକ୍ସୋ ଆଇନ ଅନୁଯାୟୀ ପୀଡ଼ିତ କ୍ଷତିପୂରଣ ବ୍ୟବସ୍ଥା ଏବଂ ଯୌନ ନିର୍ଯାତନା ଓ ଅନ୍ୟାନ୍ୟ ଅପରାଧର ମହିଳା ପୀଡ଼ିତା/ବଞ୍ଚିତାଙ୍କ ପାଇଁ ନାଲସା କ୍ଷତିପୂରଣ ଯୋଜନା-୨୦୧୮ ସହ ମୌଳିକ କର୍ତ୍ତବ୍ୟ ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଶ୍ରୀ ରାଉଳଙ୍କ ସମେତ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସ୍ଥାନୀୟ ଏ.ବି.ଇ.ଓ. ଏନ୍. ବିମଳା ପ୍ରମୁଖ ଉପସ୍ଥିତ ରହି ଉକ୍ତ ବିଷୟଗୁଡ଼ିକ ଉପରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଶିଶୁ ସୁରକ୍ଷା, ମହିଳା ସଶକ୍ତିକରଣ ଓ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ସର୍ବଶେଷରେ ପ୍ରଧାନ ଶିକ୍ଷୟିତ୍ରୀ କରୁଣା ଶ୍ରୀରାମ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Exit mobile version