Site icon Awaj Media

ପୂର୍ବ ଶତ୍ରୁତାରୁ ମହାଭାରତ : ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୂର୍ବ ଶତ୍ରୁତାକୁ ନେଇ ଏକ ମହିଳାଙ୍କୁ ଗାଁ ଦାଣ୍ଡରେ ନିର୍ବସ୍ତ୍ର କରିବା ସହ ମାଡ଼ ମାରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମୋହନାର ଜେ.ଏମ୍.ଏଫ.ସି. ବିକାଶ କିରଣ ମିଶ୍ର ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ମୋହନା ଥାନା ଅନ୍ତର୍ଗତ କାର୍ଚ୍ଚାବାଡ଼ି ଗ୍ରାମର ପ୍ରଭାକର ସାହୁ (୩୮ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏ.ପି.ପି. ସୁଶାନ୍ତ କୁମାର ମଲ୍ଲିକ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ମୋହନା ଥାନା ଅନ୍ତର୍ଗତ କାର୍ଚ୍ଚାବାଡ଼ି ଗ୍ରାମର ଏତଲାକାରିଣୀ ବିଷ୍ଣୁପ୍ରିୟା ସାହୁ ତା ୨୧-୧୦-୨୦୧୭ରିଖ ଦିନ ଟ୍ୟୁବୱେଲରୁ ପାଣି ଆଣିବାକୁ ଯାଇଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ସେହି ସ୍ଥାନକୁ ଆସି ଅତର୍କିତ ଭାବେ ମହିଳାଙ୍କ ତଣ୍ଟି ଚିପି ତାଙ୍କୁ ଗାଁ ଦାଣ୍ଡରେ ପକାଇ ଦେଇଥିଲେ ଓ ନିର୍ବସ୍ତ୍ର କରିବା ସହ ଅସଦାଚରଣ କରିଥିଲେ। ପରେ ଏତଲାକାରିଣୀଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହ ତାଙ୍କ ନାକ, କାନ ତଥା ମୁହଁକୁ ଆକ୍ରମଣ କରି ରକ୍ତାକ୍ତ କରିଦେବା ସହ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏତଲାକାରିଣୀଙ୍କ ସ୍ୱାମୀ ଏ ବିଷୟରେ ଜାଣିବା ପରେ ସେହି ଦିନ ହିଁ ଏତଲାକାରିଣୀ ମୋହନା ଥାନାରେ ମାମଲା ନମ୍ବର ୧୨୭/୨୦୧୭ରେ ଏକ ମାମଲା ରୁଜୁ କରିଥିଲେ ଏବଂ ତତ୍କାଳୀନ ଏସ.ଆଇ. ପିଙ୍କି କୁମାରୀ ମୁର୍ମୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଶେଷରେ ୭ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଘଟଣାର ଗମ୍ଭୀରତା ତଥା ବିଳମ୍ବିତ ନ୍ୟାୟ ବ୍ୟବସ୍ଥାକୁ ନଜରରେ ରଖି ଅଭିଯୁକ୍ତଙ୍କୁ ଭବିଷ୍ୟତରେ ମହିଳାଙ୍କ ବିରୁଦ୍ଧରେ ଏଭଳି ଧର୍ତ୍ତବ୍ୟ ଅପରାଧ ନ କରି ସମାଜରେ ଉତ୍ତମ ନାଗରିକ ହୋଇ ରହିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି।

Exit mobile version