Site icon Awaj Media

୨୮ ଲକ୍ଷ ଟଙ୍କା ଲୁଟ ଉଦ୍ୟମ ପଣ୍ଡ : ବ୍ୟାଙ୍କ କ୍ୟାସିୟରଙ୍କୁ ସ୍ପ୍ରେ ମାରି ଫେରାର ୨ ଦୁର୍ବୃତ୍ତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବାଲୁଗାଁ ଶାଖାର ଏଟିଏମରୁ ବ୍ୟାଙ୍କକୁ ୨୮ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ କ୍ୟାସିୟର ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟିବାକୁ ଉଦ୍ୟମ କରିଛନ୍ତି ଦୁଇ ଦୁର୍ବୃତ୍ତ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିରୋଧ ଯୋଗୁଁ ଲୁଟ ଉଦ୍ୟମ ବିଫଳ ହୋଇଥିବା ବେଳେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ବାଇକ୍‌ରେ ଖୋର୍ଦ୍ଧା ଅଭିମୁଖେ ଫେରାର ହୋଇ ଯାଇଛନ୍ତି । ସୂଚନା ଅନୁଯାୟୀ, ଲମ୍ବା ଛୁଟି ପରେ ଗୁରୁବାର ବ୍ୟାଙ୍କ ଖୋଲିଥିଲା , ଏହି ସମୟରେ ବ୍ୟାଙ୍କର କ୍ୟାସିୟର ରମେଶ ବେହେରା ଓ କର୍ମଚାରୀ ପ୍ରଶାନ୍ତ ନାୟକ ବ୍ୟାଙ୍କ ନିକଟସ୍ଥ ଏଟିଏମରୁ ଏକ ବ୍ୟାଗରେ ୨୮ ଲକ୍ଷ ଟଙ୍କା ନେଇ ପାଦରେ ଚାଲି ଚାଲି ବ୍ୟାଙ୍କକୁ ଫେରୁଥିଲେ । ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ୍ ପ୍ରଶାନ୍ତ ନାୟକଙ୍କ ମୁହଁକୁ ସ୍ପ୍ରେ ମାରିଥିଲେ । ପରେ କ୍ୟାସିୟର ରମେଶ ବେହେରାଙ୍କ ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ହଠାତ୍ ଆକ୍ରମଣରେ କିଛି ସମୟ ପାଇଁ ଅସୁବିଧା ସୃଷ୍ଟି ହୋଇଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମାନେ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିଥିଲେ । ଏହି ସମୟରେ ଦୁର୍ବୃତ୍ତ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଘଟଣାର ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି । ଶେଷରେ ଟଙ୍କା ଲୁଟିବାରେ ବିଫଳ ହୋଇ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଖୋର୍ଦ୍ଧା ଅଭିମୁଖେ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ବାଲୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଜାରି ରହିଛି ।

Exit mobile version