Site icon Awaj Media

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିଛି କ.ନୂଆଗାଁ ପୋଲିସ। ପୋଲିସ ପେଟ୍ରୋଲିଂ ସମୟରେ ଦାରିଙ୍ଗବାଡ଼ି ଛକରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ୍‌ ଏବଂ ନଗଦ ୫ ହଜାର ଟଙ୍କା ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, କ.ନୂଆଗାଁ ଥାନା ପୋଲିସ ଦଳ ପେଟ୍ରୋଲିଂ କରୁଥିବା ବେଳେ ଦାରିଙ୍ଗବାଡ଼ି ଛକରେ ଜଣେ ମହିଳା ଜରି ଅଖା ଧରି ବସ୍‌କୁ ଅପେକ୍ଷା କରିଥିବା ଦେଖିଥିଲା। ତାଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ଅଖା ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଖା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ତାହାକୁ ଜବତ କରାଯାଇଥିଲା। ପରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏହାର ପରିମାଣ ୨୨ କେଜି ବୋଲି ଜଣାପଡ଼ିଥିଲା । ଗିରଫ ମହିଳା ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ତେହେଟା ଗ୍ରାମର ରାନୁଲାଇଲା ଖାତୁନ (୩୩) ବୋଲି ପୋଲିସ ସୂଚନା ଦେଇଛି। ସେ ଗଞ୍ଜେଇକୁ ପଶ୍ଚିମବଙ୍ଗକୁ ନେବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏହି ଚଢ଼ାଉରେ କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନାଙ୍କ ସହ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଏଏସଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ। ଏ ସଂକ୍ରାନ୍ତରେ କ.ନୂଆଗାଁ ଥାନାରେ କେସ୍‌ ନଂ ୧୬୪/୨୬ ଅନୁଯାୟୀ ଏନ୍‌ଡିପିଏସ୍‌ ଆଇନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Exit mobile version