ପୋଷାକ କିଣାରେ ବ୍ୟାପକ ଦୁର୍ନୀତି : ଅଭିଯୋଗ ଆଣିଲା ଅଙ୍ଗନବାଡି କର୍ମଚାରୀ ସଂଘ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଓଡ଼ଗାଁ ଏବଂ ଖଣ୍ଡପଡ଼ା ବ୍ଲକରେ ଅଙ୍ଗନବାଡ଼ି ଶିକ୍ଷାର୍ଥୀଙ୍କ ପୋଷାକ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଙ୍ଗନବାଡି କର୍ମଚାରୀ ସଂଘ ଅଭିଯୋଗ ଆଣିଛନ୍ତି। ଅଙ୍ଗନବାଡ଼ି ସଭାନେତ୍ରୀ ଜ୍ୟୋସ୍ନାମୟୀ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ସାମ୍ମୁଖ୍ୟ ଜିଲ୍ଲା କର୍ମୀ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସହ-ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ଅଙ୍ଗନବାଡ଼ି କର୍ମୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲ୍ଲାର ଆଠଗୋଟି ବ୍ଲକ ମଧ୍ୟରୁ ପାଞ୍ଚଟି ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀ ମାନଙ୍କ ପାଇଁ ପୋଷାକ କିଣି ଯୋଗାଇ ଦେବାପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ତିନୋଟି ବ୍ଲକରେ ଶିକ୍ଷାର୍ଥୀ ମାନଙ୍କୁ ସିଲେଇ କରି ପୋଷାକ ଯୋଗାଇଦେବା ଲାଗି ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନିର୍ଦ୍ଦେଶ ଦିଆଯାଇଛି । ସିଡିପିଓ ଏବଂ ସୁପରଭାଇଜର ଙ୍କୁ ହାତ କରି ସମ୍ପୃକ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ ସିଲେଇ ହୋଇଥିବା ଦର୍ଶାଇ ବଜାରରୁ ନିମ୍ନମାନର ପୋଷାକ କିଣି ଯୋଗାଉଥିବା ଅଭିଯୋଗ ହୋଇଅଛି। ଏସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସଙ୍ଘ ତରଫରୁ ଏକ ଦାବିପତ୍ର ଦିଆଯିବା ସହିତ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *