ବ୍ୟୁରୋ ରିପୋର୍ଟ : ଆୱାଜ ମିଡ଼ିଆ : କରୋନାର ଦ୍ଵିତୀୟ ଲହର ସହିତ ସଂଘର୍ଷ କରୁଥିବା ଭାରତ ର ସହାୟତା ପାଇଁ ଦୁନିଆର ଅନେକ ଦେଶ ଆଗେଇ ଆସିଛନ୍ତି । ଏଥିରେ ଆମେରିକା, ଫ୍ରାନ୍ସ, ଜର୍ମାନୀ, ଋଷ ଓ ବ୍ରିଟେନ୍ ପରି ଦେଶ ସହ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଚୀନ, କାନାଡା, ଥାଇଲାଣ୍ଡ ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଏହି ଦେଶଗୁଡିକ ଭାରତକୁ କେବଳ ଅକ୍ସିଜେନ୍ ଯୋଗାଇ ଦେଇ ନାହାନ୍ତି ବରଂ ଭେଣ୍ଟିଲେଟର ଏବଂ ମାସ୍କ ପରି ଜରୁରୀ ସାମଗ୍ରୀ ମଧ୍ୟ ଯୋଗାଇବା ଆରମ୍ଭ କରିଛନ୍ତି । ବୁଧବାର ସିଙ୍ଗାପୁର ଭାରତକୁ ଅକ୍ସିଜେନ୍ ଭରା ଦୁଇଟି ବିମାନ ପଠାଇଛି । ଅନ୍ୟପଟେ କାନାଡା ଭାରତକୁ ୬୦ କୋଟି ସହାୟତା ଦେବାକୁ ଘୋଷଣା କରିଛି । ବ୍ରିଟେନ୍ ମଙ୍ଗଳବାର ଦିନ ୧୦୦ ଭେଣ୍ଟିଲେଟର ଓ ୯୫ ଅକ୍ସିଜେନ୍ କନସେନଷ୍ଟ୍ରେସନର ପ୍ରଥମ ଟ୍ରିପ୍ ଭାରତ ପଠାଇଛି ।
ଅଧିକାରୀଙ୍କ ଅନୁଯାୟୀ, ଆମେରିକାରୁ ଅକ୍ସିଜେନ୍ ସହ କରୋନା ଟେଷ୍ଟିଂ ଏବଂ ଚିକିତ୍ସା ପାଇଁ ଔଷଧ ଏବଂ ଟିକା ପାଇଁ କଞ୍ଚାମାଲ ଆସିବା ଆରମ୍ଭ ହୋଇଯିବ । ଏଥିସହ ଭ୍ୟାକ୍ସିନ ଯୋଗାଇବା ବିଷୟରେ ମଧ୍ୟ ଆଲୋଚନା ଜାରି ରହିଥିବା ଜନୈକ ଅଧିକାରୀ କହିଛନ୍ତି ।
ଏହା ବ୍ୟତୀତ ଆମେରିକାର କମ୍ପାନୀ ଗୁଗଲ, ଏପଲ, ମାଇକ୍ରୋସଫ୍ଟ, ଆମାଜନ ଓ ଡେଲାଏଟ ସମେତ ଅନେକ ବାଣିଜ୍ୟିକ ସଂଗଠନ ପକ୍ଷରୁ ଆର୍ଥିକ ଓ ଟେକ୍ନିକାଲ ସହାୟତା ଭାରତକୁ ମିଳୁଛି । ଅନ୍ୟପଟେ ଫ୍ରାନ୍ସ ପ୍ରଥମ ପର୍ଯ୍ୟାୟରେ ନିଜ ଦେଶରେ ଆଠ ବଡ ଅକ୍ସିଜେନ୍ ପ୍ଲାଣ୍ଟ ତୁରନ୍ତ ସ୍ଥାପନ କରିବ । ଆଗାମୀ ସପ୍ତାହ ସୁଦ୍ଧା ସେଠାରୁ ୫ ଲିକ୍ଵିଡ୍ ଅକ୍ସିଜେନ୍ କଣ୍ଟେନର ଭାରତରେ ପହଞ୍ଚିବ । ଅଷ୍ଟ୍ରେଲିଆରୁ ମଧ୍ୟ ବ୍ୟାପକ ଭାବେ ଭେଣ୍ଟିଲେଟର, ସର୍ଜିକାଲ ମାସ୍କ, ଗ୍ଲୋଭ୍ସ ଭାରତକୁ ଆସୁଛି ।. ନ୍ୟୁଜିଲାଣ୍ଡ ସରକାର ଭାରତକୁ ୭ ଲକ୍ଷ ୨୦ ହଜାର ୩୬୫ ଆମେରିକୀୟ ଡଲାରର ଆର୍ଥିକ ସହାୟତା ଦେବାକୁ କହିଛନ୍ତି ।
ଦକ୍ଷିଣ କୋରିଆ କହିଛି ଯେ, ତାଙ୍କ ଦେଶ ଭାରତର ସାହାଯ୍ୟ ପାଇଁ ଅକ୍ସିଜେନ୍ କନସନଟ୍ରେଟର, କୋଭିଡ୍-୧୯ ଉପଚାରରେ ବ୍ୟବହାର ହେଉଥିବା କିଟ୍ ଏବଂ ଅନ୍ୟ ଡାକ୍ତରୀ ଉପକରଣ ଯୋଗାଇଦେବ।