ବିଦେଶୀ ମଦ ଦୋକାନ ଡକାୟତି ଘଟଣା : ପୁଲିସ କବଜାରେ ଲୁଟେରା ଗ୍ୟାଙ୍ଗ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ରାମପୁର ଛକରେ ଥିବା ବିଦେଶୀ ମଦ ଦୋକାନରେ ଏକ ଡକାୟତ ଦଳ ପଶି ୬ଲକ୍ଷ ଟଙ୍କାର ବିଦେଶୀ ମଦ ସହ ଏକ ସ୍କୁଟି, ଇନଭର୍ଟର, କମ୍ପ୍ୟୁଟର ହାଡ଼ଡିସ୍କ ଲୁଟି ନେଇଥିବା ବେଳେ ସେଲସମ୍ୟାନ ସହ ଦୁଇ ଜଣକୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏ ସଂପର୍କରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ଏକ ଅଟୋ ରିକ୍ସାରେ ୮ଜଣ ମୁଖା ପିନ୍ଧା ବ୍ୟକ୍ତି ରାମପୁର ଛକରେ ଥିବା ଏକ ନୂତନ ବିଦେଶୀ ମଦ ଦୋକାନକୁ ଆସି କବାଟ ଭାଙ୍ଗି ଡକାୟତି କରିଥିଲେ । ସେହି ଦୋକାନରେ ସେଲସମ୍ୟାନ ଅନୀଲ କୁମାର ସ୍ୱାଇଁ ଏବଂ ଅନ୍ୟ ଜଣେ ଶୋଇଥିବା ବେଳେ ତାଙ୍କୁ ମାଡ଼ ମାରିବା ସହ ହାତ ଗୋଡ ବାନ୍ଧି ୬ଲକ୍ଷ ଟଙ୍କାର ବିଦେଶୀ ମଦ, ଏକ ସ୍କୁଟି, ଇନଭର୍ଟର ମେସିନ, ବ୍ୟାଟେରୀ ଓ ସି ସି କ୍ୟାମେରାର କମ୍ପ୍ୟୁଟର ହାର୍ଡଡିସ୍କ ନେଇଥିବା ଜଣାପଡ଼ିଛି । ବିଦେଶୀ ମଦ ଦୋକାନ ପକ୍ଷରୁ ଏନେଇ ଏକ ଲିଖିତ ଏତଲା ଦିଆଯିବା ପରେ ତୁମୁଡିବନ୍ଧ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଡକାୟତ ମାନଙ୍କୁ ଧରିବା ପାଇଁ ତୁମୁଡ଼ିବନ୍ଧ ପୁଲିସ ଆରମ୍ଭ କରିଥିଲା ଛାନବିନ । ତିନି ଦିନ ପରେ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ୍‌ । ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ସମସ୍ତ ଲୁଟ୍‌ ସାମଗ୍ରୀ ଜବତ କରିବା ସହ ଲୁଟ୍‌ରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ୍‌ । ଘଟଣାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର ଥିବା ଜଣାପଡ଼ିଛି । ସମସ୍ତ ଲୁଟେରା ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୋଧରେ ପୁର୍ବରୁ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ସେମାନଙ୍କ ନିକଟରୁ ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ୍‌ , ଗୋଟିଏ ଧାରୁଆ ଛୁରୀ ପୋଲିସ୍‌ ଜବତ କରିଥିବା ଜଣାପଡ଼ିଛି । ଗତ ୧୦ତାରିଖ ରାତିରେ ସେଲ୍ସ ମ୍ୟାନ୍‌ ଓ ତାଙ୍କ ସହଯୋଗୀଙ୍କୁ ଖଟରେ ବାନ୍ଧି ମଦ ଦୋକାନରେ ଥିବା ପାଖାପାଖି ୬ଲକ୍ଷ ଟଙ୍କାର ମଦ ସହ ଦୋକାନରେ ଥିବା ଇନଭର୍ଟର, ୟୁପିଆଇ ମେସିନ୍‌ ସହ ସେଲ୍ସ ମ୍ୟାନଙ୍କ ସ୍କୁଟି ଓ ସିସି କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା ।

ଏହା ତୁମୁଡ଼ିବନ୍ଧ ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା । ସମସ୍ତଙ୍କ ଚେଷ୍ଟା ବଳରେ ଘଟଣାର ତିନିଦିନ ମଧ୍ୟରେ ଆମେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛୁ ବୋଲି ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାରୀ କହିଛନ୍ତି l ଅନ୍ୟ ପଟେ ଆଖପାଖ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗର ପୂର୍ବରୁ ଏଭଳି ଅନେକ ଘଟଣା ଘଟାଇ ଫେରାର ଥିବା ସମୟରେ ଥାନାରେ ଅନେକ ମାମଲା ରହିଛି ଏବଂ ଅଧିକ ତଦନ୍ତ ପରେ ସବୁ ସ୍ପଷ୍ଟ ହେବ ବୋଲି ବାଲିଗୁଡ଼ା ଏସଡିପିଓ ଶ୍ରୀ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *