କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦବେଗ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ଅଶୋକ ପରିଡା ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଜିଲାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଆବଶ୍ୟକ ସଂଖ୍ୟାରେ ବିଶେଷଜ୍ଞ ଓ ଜରୁରୀକାଳୀନ ଚିକିତ୍ସା ପାଇଁ ବ୍ୟବସ୍ଥା ନଥିବାରୁ ଅକାଳରେ ଜୀବନ ଚାଲିଯାଉଛି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କଲେଜରେ ଶିକ୍ଷାଦାନ ପାଇଁ ଅଧ୍ୟାପକ ନାହାନ୍ତି । ନାକ ମାନ୍ୟତା ପ୍ରତ୍ୟାହାର ହୋଇଗଲାଣି । ଶିକ୍ଷାର ମାନବୃଦ୍ଧିପାଇ ଥିବା ଦୁଇ ଦୁଇଟା ବିଇଡି କଲେଜ ପ୍ରଶିକ୍ଷକ ଅଭାବରୁ ବନ୍ଦ । ରାସ୍ତା କୋଠାବାଡି ଓ ଜାତୀୟ ରାଜପଥରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ମାଦିକୁନ୍ଦା ଠାରେ ସକଡ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପିଅନପଡା ପୋଖରୀର ପୁନଃଉଦ୍ଧାର ବଦଳରେ ମାଟି ପୋତିହେଉଛି ସେ ଦିଗରେ ବିଭାଗର ଦୃଷ୍ଟି ନାହିଁ ।ଫୁଲବାଣୀ ଛକସ୍ଥାନରେ ଦୁର୍ଘଟଣା ରୋକିବାକୁ ହୋଇଥିବା ବହୁମୂଲ୍ୟର ହମ୍ପସ ଅଫିସରଙ୍କ ମନ ଇଚ୍ଛାରେ ଉଠାଇବା ଦୁର୍ଭାଗ୍ୟ ଜନକ । ଜିଲାରେ ବହୁସଂଖ୍ୟାରେ ଅଚିହ୍ନା ମୁସଲମାନଙ୍କ ଅପ୍ରତ୍ୟାଶିତ ପ୍ରବେଶ ଉପରେ ପୋଲିସ ବିଭାଗର ନଜର ନାହିଁ । ଚୋରି, ଡକାୟତି, ହତ୍ୟା ଓ ଅସାମାଜିକ କାର୍ଯ୍ୟ ଦିନକୁଦିନ ବୃଦ୍ଧି ପାଉଛି, ଯାହା ଚିନ୍ତାର କାରଣ ପାଲଟିଛି । ବିଦ୍ୟୁତ ବିଭାଗର ଦୌରାତ୍ମରେ ଲୋକମାନେ ଅତିଷ୍ଟ । ଦିନକୁ ୨୦ଥର ଲାଇନ କଟୁଥିବାବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍‌ ମନ ଇଚ୍ଛା ଆସୁଛି । ସହରର ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏକ ବାଇପାସ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ଶୀତଳ ଭଣ୍ଡାରରେ ପଡିଛି । ବୃକ୍ଷ ରୋପଣ ନାଁରେ ବନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ ବିଭାଗ ଇତ୍ୟାଦିରେ କୋଟି କୋଟି ହରିଲୁଟ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଜଳସେଚନ ପାନୀୟ ଜଳ ମନରେଗା ଆଦିରେ ଠକେଇ ଜିଲାର ବିକାଶକୁ କାଗଜକଲମରେ ଦର୍ଶାଯାଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ସରକାରୀ ନିୟମକୁ ଉଲ୍ଲଂଘନ କରି ଜିଲାର ଅଧିକାରୀ ମାନେ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ରହୁଥିବାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ସଦସ୍ୟମାନେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଉପରିସ୍ଥ ଅଧିକାରୀଙ୍କୁ ଏସବୁ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିବା ସହ ପ୍ରତିବାଦ ଓ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ବେହେରା, ବ୍ରଜ ପଟ୍ଟନାୟକ, ପରେଶ ମହାପାତ୍ର, ବିଜୟ ମହାନ୍ତି, ନାରାୟଣ ସାହୁ, ପ୍ରିୟ ନାଥ ଶର୍ମା, ରମେଶ ମହାନ୍ତି, ମନୋଜ ଚୌଧୁରୀ, ରାଜକିଶୋର ପାଢୀ, ସଚିଦାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଜିଲାର ଅବ୍ୟବସ୍ଥା ଉପରେ ଉଦବେଗ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *