ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଜ ପାଇଁ ନୁହେଁ , ଅନ୍ୟ ପାଇଁ ବଞ୍ଚିବା ଶିଖିବା । ଅନ୍ୟର ଖୁସିରେ ଆତ୍ମହରା ହେବା , ଭାରତୀୟ ସଭ୍ୟତାର ଏହି ମହାନ ଉଦ୍ଦେଶ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଆଜକୁ ଦୀର୍ଘ ୫୯୪ ଦିନ ଧରି ଚାଲୁ ରହିଛି ଏକ ନିରନ୍ତର ପ୍ରୟାସ । ଭଦ୍ରକ ସହରରେ ଗୋଟିଏ ପଟରେ ଚାଲିଛି ମା ‘ ଙ୍କର ଭସାଣି ଯାତ୍ରା, ଅପର ପଟରେ ଜୀବନ୍ତ ମାଆର ଲଜ୍ଜା ଏବଂ କ୍ଷୁଧା ନିବାରଣ କରିବା ଉଦ୍ଦେଶ୍ୟରେ ଲାଗି ପଡିଛନ୍ତି ଚିନ୍ମୟ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ମାନେ । ଚଳିତ ସପ୍ତାହର ଗତ ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଭଦ୍ରକ ଜିଲ୍ଲାର ଧାମନଗର ଓ ଭଦ୍ରକ ବ୍ଲକ ଏବଂ ମୁନିସିପାଲିଟି ଆଦି ଅଞ୍ଚଳ ମାନଙ୍କରେ ରାସ୍ତାକଡ଼ର ଶିଶୁ, ଅସହାୟ ବୁଢା ବୁଢ଼ୀ, ପାଗଳା ପାଗିଳି, ଭିକ୍ଷୁକ ,ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ ଖାଦ୍ୟ,ବସ୍ତ୍ର , ମାକ୍ସ, ସାବୁନ, ସାନିଟାଇଜର ଆଦି ବଣ୍ଟନ ସହ ମହାମାରୀ କରୋନା ସମ୍ପର୍କରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ, ସଚେତନତା କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏହି ଅବସରରେ କରୋନାରେ ମୃତକଙ୍କ ଉଦ୍ଦେଶ୍ୟରେ ଫାଉଣ୍ଡେସନର ବିଭିନ୍ନ ଶାଖାର କର୍ମକର୍ତ୍ତାଙ୍କ ଦ୍ଵାରା ଦିଆଯାଉଥିବା ସାମୁହିକ ପିଣ୍ଡଦାନ, ତର୍ପଣ, ନିରବ ପ୍ରାର୍ଥନା ଓ ଦୀପଦାନ କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଁଚିଥିବାର ସୂଚନା ମିଳିଛି ।