ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି . କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇ ଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ ହୋଇପଡ଼ିଛି . ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରକାଶ ଯେ, ତାଳଚେର ବ୍ଲକ୍ ଅନ୍ତର୍ଗତ ହିଲୋଇ ଗ୍ରାମର ୧୨୦ ଟି ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି । ସେମାନଙ୍କୁ ଅଦ୍ୟାବଧି କିନ୍ତୁ ଘରଡିହ ବାବଦରେ କ୍ଷତିପୂରଣ ମିଳିନାହିଁ । ହେଲେ ବିନା ସୂଚନାରେ ଶୁକ୍ରବାର ଭୋରରୁ ସେମାନଙ୍କର ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । କ୍ଷତିଗ୍ରସ୍ତଙ୍କ ବିରୋଧ ଯୋଗୁଁ ଘରଭଙ୍ଗା କାର୍ଯ୍ୟରେ ନିୟୋଜିତ ମେସିନ ଗୁଡ଼ିକୁ ଫେରି ଯାଇଥିଲା । ଏହି ଘଟଣାକୁ ଅନ୍ୟ କ୍ଷତିଗ୍ରସ୍ତ ଗ୍ରାମ ଗୁଡ଼ିକ ମଧ୍ୟ ବିରୋଧ କରିବା ସହ ହିଲୋଇ ଗ୍ରାମବାସୀଙ୍କ ସମର୍ଥନରେ ଖଣି ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ସକାଳେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ହିଲୋଇ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏମ୍ସିଏଲ୍ର ଏଭଳି ମନମୁଖୀ କାର୍ଯ୍ୟକୁ ସେ ସମାଲୋଚନା କରିଥିଲେ । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ଓ ଥଇଥାନ ସହ ନିଯୁକ୍ତି ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।
ଖଣି ଇଲାକାରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ୍ !!!

