ଦ ମେଡିକ୍ସ ପକ୍ଷରୁ ବିଭିନ୍ନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ବିଶ୍ୱ ଏଡସ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ ମେଡିକ୍ସ ପକ୍ଷରୁ ବିଭିନ୍ନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏ ନେଇ ଦ ମେଡିକ୍ସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଡ଼ା ଦିଲୀପ ସାମଲ, ଏଆଆରଟି ଅଧିକାରୀ ଡ଼ା ଶାଶ୍ୱତ ସାଗର ମିଶ୍ର, ମେଡିକ୍ସ ସଭାପତି ପୁରୁଷୋତ୍ତମ ବିଶ୍ୱାଳ ଏବଂ ଟିଆଇ ବିଶେଷଜ୍ଞ ସଂଘମିତ୍ରା ମିଶ୍ର ପ୍ରମୁଖ ଯୋଗଦାନ କରି ବିଶ୍ୱ ଏଡସ ଦିବସର ଲକ୍ଷ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାରେ ମେଡିକ୍ସ ପକ୍ଷରୁ ତୃତୀୟ ଲିଙ୍ଗ ଏବଂ ମହିଳା ଯୌନ କର୍ମୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସାମାଜିକ ସୁରକ୍ଷା ଏବଂ ଚିକିତ୍ସା ସେବା ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରାଯାଇଥିଲା । ୨୦୨୧-୨୨ ବର୍ଷରେ ବର୍ତମାନ ସୁଦ୍ଧା ୯୪୨ ଜଣ ତୃତୀୟ ଲିଙ୍ଗ ଓ ୪୪୬ ଜଣ ମହିଳା ଯୌନକର୍ମୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଏଡସ ଜନିତ ପରାମର୍ଶ ଦିଆଯାଇଛି । ଏଥି ସହ ୩ ଲକ୍ଷ ୩୦ ହଜାର ୫୮୭ଟି ମାଗଣା କଣ୍ଡମ ବଣ୍ଟା ଯାଇଥିବା ନେଇ ଡା ସାମଲ ପ୍ରକାଶ କରିଥିଲେ । ଜିଲ୍ଲାରେ ତୃତୀୟ ଲିଙ୍ଗ ଏବଂ ଏଚଆଇଭି ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସେଥିପାଇଁ ଏକ ନୂଆ ଟିଆଇ ପ୍ରକଳ୍ପର ଆବଶ୍ୟକତା ଉପରେ ଡ଼ା ସାମଲ ଗୁରୁତ୍ୱାରୋପ କରିଥିଲେ । ଡ଼ା ଶାଶ୍ୱତ ସାଗର ମିଶ୍ର ଏଡସ ରୋଗର କାରଣ, ନିରାକରଣ ଓ ନିୟନ୍ତ୍ରଣ କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *