କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଛାତ୍ରାଣାମ୍ ଅଧ୍ୟୟନ ପରମ ତପଃ ନ୍ୟାୟରେ ଆମ ଛାତ୍ର ସମାଜ ନିଜର କର୍ତ୍ତବ୍ୟ ନିଷ୍ଠା, ଶିକ୍ଷା ପ୍ରତି ଶ୍ରଦ୍ଧା, ଗବେଷଣା, ମହାପୁରୁଷଙ୍କ ଜୀବନୀ ପାଠ, ଗୁରୁଜନଙ୍କ ପ୍ରତି ସମ୍ମାନ ଆଦି ବହୁ ଶୋଭାନୀୟ ଚିନ୍ତା ଚେତନା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେହିଭଳି ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି କଟକ ସଦର ୪୨ ମୌଜା ପଟଣା ଗ୍ରାମର କୁମାରୀ ସୃଷ୍ଟି ଦାସ ମହାପାତ୍ର । ପିତା ଶୁଭେନ୍ଦୁ ଦାସ ମହାପାତ୍ର, ମାତା ଶ୍ରାବନ୍ତିକା ମହାନ୍ତି, ଅଜା ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ଆଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସାହିତ୍ୟିକା ସରୋଜ ନଳିନୀ ପରିଜା, ଜେଜେ ସୁରେନ୍ ମହାପାତ୍ର, ଜେଜମା ରେବିକା ମହାପାତ୍ରଙ୍କ ବଂଶରେ ସୁକନ୍ୟା ସୃଷ୍ଟି ଜନ୍ମ ଗ୍ରହଣ କରି ପରିବାର ଆଉ ସମାଜ ପାଇଁ ଆଣିଛନ୍ତି ନୂତନ ସୃଜନର ଶୁଭଙ୍କର ଝଙ୍କାର । ସରସ୍ଵତୀ ଶିଶୁ ମନ୍ଦିର ବେଣ୍ଟକାରରେ ଶିକ୍ଷା ଲାଭ କରିବା ସହ ନିଜର ଅଧ୍ୟବସାୟ ବଳରେ ଓଡିଶୀ ନୃତ୍ୟରେ ନିଜର ଖୁବ୍ ପାରଦର୍ଶିତା ଲାଭ କରି ଅଞ୍ଚଳ ପାଇଁ ଗର୍ବ ଗୌରବର ପରିଭାଷା ଆଣିବା ସହ ସାଉଁଟିଛନ୍ତି ଅଜସ୍ର ବଧେଇ, ଆଶୀର୍ବାଦ ଆଉ ଅନେକ ସମ୍ମାନ । ପିଲାଟି ଦିନରୁ ସାଧନା ଜାରି ରଖି ବହୁ ସଂଗଠନ ଯଥା ରେକି ମିଶନ ମହା ଶିଶୁ ପର୍ବ କୂଳସରିଚୁଆ କଟକ, କଟକ ମହୋତ୍ସବ – କଟକ,ବାରବାଟୀ ନୃତ୍ୟ ମହୋତ୍ସବ – କଟକ, ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚ – କଟକ , ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବରାଳ କଟକ, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ଆଦିରୁ ସେ ସମ୍ବର୍ଦ୍ଧିତ ଓ ପୁରସ୍କୃତ । ଅଧ୍ୟୟନରେ ସଫଳ ହେବା ସହ ଓଡ଼ିଶୀ ନୃତ୍ୟରେ ରୁଚି ଅଧିକରୁ ଅଧିକ ଗବେଷଣତ୍ମକ ଭାବଧାରା ସୃଷ୍ଟିଙ୍କୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବ ଏହା ସ୍ପଷ୍ଟ ପ୍ରମାଣିତ । ଏହି ଶିଶୁ ପ୍ରତିଭାଙ୍କ ସ୍ବପ୍ନ ସଫଳ ହେଉ , ଭବିଷ୍ୟତ ଉଜ୍ଜ୍ୱଳ ହେଉ ଏତିକି ପ୍ରାର୍ଥନା ।
ଓଡିଶୀ ନୃତ୍ୟଶିଳ୍ପୀ : ସୃଷ୍ଟି ଦାସ ମହାପାତ୍ର !!!

