ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ବଡ଼ଖିଙ୍ଗା ଗ୍ରାମରେ ସ୍ଥିର ହୋଇଥିବା ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ କାଶୀନଗର ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା ପୂଜାରୀ ଜାଣିବାକୁ ପାଇଥିଲେ । ଶ୍ରୀମତି ପୂଜାରୀ ଖବର ପାଇ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ । ଏହା ପରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମରେ ICDS ସିଡିପିଓ କନକଲତା ପୂଜାରୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଶ୍ରୀଯୁକ୍ତ ଡି.ମଲ୍ଲିକ, ସଖୀ ୱାନ ଷ୍ଟପ ସେଣ୍ଟରର ପରାମର୍ଶଦାତ୍ରୀ ସୁମତି ପରିଚ୍ଛା, ଏକ୍ସନଏଇଡ଼ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମେହେର ଏବଂ ଚାଇଲଡ଼ ଲାଇନର ସଦସ୍ୟ ଏ .ମିନାକ୍ଷୀ, ପୋଲିସ ଅଧିକାରୀ ଜୟ ପ୍ରକାଶ ପୁତୁଲିକି ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟ ବିବାହକୁ ସ୍ଥଗିତ କରିଥିଲେ ।

ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ 18 ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି . ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରା ଯାଇ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥିତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଛି । ଝିଅଟିକୁ 18 ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *