ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କୋର୍ଟ ପରିସର ରେ ମାନ୍ୟବର ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଏସ୍.ମୂରଲୀଧରଙ୍କ ଦ୍ୱାରା ଇ-ଫାଇଲ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ଡ. ବି.ଆର୍. ଷଢଙ୍ଗୀ ଯୋଗ ଦେଇଥିଲେ । ସେହିଭଳି ଭର୍ଚ୍ୟୁଆଲ ମାଧ୍ୟମରେ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ମାନେ ଯୋଡି ହୋଇଥିବା ବେଳେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟପୀର ମିଶ୍ର , ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଶ୍ରୀ ପ୍ରଭାକର ଗଣ୍ଠିଆ, ଗଜପତି ଜିଲ୍ଲା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀ ଚିନ୍ମୟ ମିଶ୍ର , ପାରଳାଖେମୁଣ୍ଡି ବାର ଏସୋସିଏସନର ସଭାପତି ଶ୍ରୀ ରାମନାଥ ମିଶ୍ର , ସମ୍ପାଦକ ଶ୍ରୀ ଏମ୍.ପୃଥୀବୀରାଜ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ମୂରଲୀଧର ଏହିି ଅବସରରେ କହିଥିଲେ ଯେ ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ଜଣେ ନ୍ୟାୟାଳୟକୁ ନ ଆସି ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ମାମଲା ଦାଖଲ କରିବା , ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଇଥିବା ସମସ୍ତ ସୂଚନା ଆଙ୍ଗୁଠି ଟିପରେ ଉପଲବ୍ଧ ହୋଇ ପାରିବା , ଅପଲୋଡ ହୋଇଥିବା ଆଦେଶ ତଥା ବିଚାର ଗୁଡିକ ସ୍ୱୟଂ ଚାଳିତ ଭାବରେ ଆଇନଜୀବୀ ମାନଙ୍କୁ ସୂଚିତ କରାଯିବା , ଡାଟା ଏଣ୍ଟ୍ରି ତ୍ରୁଟିକୁ କମାଇବା ପାଇଁ ପ୍ରାବଧାନ ଦିଆ ଯାଇଥିବା ବେଳେ ତଥ୍ୟ ଗୁଡିକ ସ୍ୱଚ୍ଛ ଏବଂ ଦ୍ରୁତ ଭାବେ କିପରି ପହଞ୍ଚି ପାରିବ ସେନେଇ ବିସ୍ତୃତ ଭାବେ କହିଥିଲେ । ଏହା ସହ ଏ ସମ୍ବନ୍ଧୀୟ ସହାୟତା ପାଇଁ ଇ-ଫାଇଲିଂ ଷ୍ଟେସନ ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।