ଗଜପତିରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ପରେ ନିଜ ଅଭିଭାଷଣରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଦୀର୍ଘ ୮୭ ବର୍ଷ ଧରି ଓଡ଼ିଶା ପୋଲିସ ଜନସାଧାରଣଙ୍କୁ ନିରବଛିନ୍ନ ସେବା ଯୋଗାଇ ଆସୁଅଛି । ଅନେକ ବଡ଼ ବଡ଼ ସମସ୍ୟା ମୁଣ୍ଡ ଟେକି ଉଠିଥିଲା ବେଳେ ସମସ୍ୟା ସମାଧାନ ଦିଗରେ ପୋଲିସ ପ୍ରଶାସନ ଜାଗ୍ରତ ପ୍ରହରୀ ସାଜି କାର୍ଯ୍ୟ କରିଚାଲିଛି । ପ୍ରଶାସନ, ଆଇନ ଶୃଙ୍ଖଳା ରକ୍ଷା, ସୁରକ୍ଷା ପ୍ରଦାନ, ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ତଥା କରୋନା ମହାମାରୀ ସମୟରେ ପୋଲିସ ବାହିନୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ . ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ରେ ସାମଗ୍ରୀକ ବିକାଶର ଅଗ୍ରଗଣୀ ଭୂମିକା ପୋଲିସ ବାହିନୀ ନିର୍ବାହ କରି ପାରିବ ଏହା ନିଃସନ୍ଦେହ ।

ପ୍ରାକୃତିକ ସମ୍ପଦ ଭରା ଗଜପତି ଜିଲ୍ଲାରେ ଗରିବ ଆଦିବାସୀ ମାନଙ୍କର ସୁରକ୍ଷା ତଥା ଉନ୍ନତି ଜିଲ୍ଲା ପୋଲିସ ର ଏକାନ୍ତ କାମ୍ୟ . ଏହା ପାଇଁ ଅତୀତରେ ଗଜପତି ଜିଲ୍ଲା ପୋଲିସ ବାହିନୀର ଯବାନକୁ ଜୀବନ ତଥା ବହୁ ମୂଲ୍ୟ ଦେବାକୁ ପଡିଛି । ଅନେକ ବାଧାବିଘ୍ନ ସତ୍ତ୍ୱେ ଜିଲ୍ଲା ପୋଲିସ ବାହିନୀର ମନବଳ ସୁଦୃଢ଼ ରହିଛି ଓ ରହିବ ଏହା ମୋର ଦୃଢ଼ ବିଶ୍ୱାସ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରକାଶ କରିଥିଲେ । ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ବାର୍ତ୍ତା ପଠନ କରିଥିଲେ । ଉତ୍ତମ ସେବା, ଭଲ କାର୍ଯ୍ୟ କରିଥିବା କର୍ମଚାରୀ ଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଏସଡିପିଓ ରାମକୃଷ୍ଣ ପତି , ସର୍ଜନ ଅଲ୍ଲୀ ରଞ୍ଜନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେଵ ସିଂ, କମାଣ୍ଟେଟ ଜୁରୀଆ ବେହେରାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଡ଼ମ୍ବୁରୁଧର ହନାଙ୍ଗା ରିଜର୍ଭ ପୋଲିସ ଇନ୍ସପେକ୍ଟରଙ୍କ ଦ୍ଵାରା ପ୍ୟାରେଡ଼ ପରିଚାଳିତ ହୋଇଥିଲା ।

 

Leave a Reply

Your email address will not be published. Required fields are marked *