ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗ୍ରାମର ମିଳିତ ମେରୁ ଶୋଭାଯାତ୍ରା ସମୟରେ ଅଘଟଣ । ଜଣେ ମୃତ, ଟାଉନଥାନା ଆଇଆଇସି ପ୍ରଜ୍ଞା ପାରମିତା ଙ୍କ ସମେତ ଦଶରୁ ଉର୍ଦ୍ଧ୍ବ ଆହତ, ଦୁଇ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ । ଏହି ଶୋଭାଯାତ୍ରା ରେ ସଂଖ୍ୟାଧିକ ଡିଜେ, ବ୍ୟାଣ୍ଡ ପାର୍ଟି , ବିଭିନ୍ନ ପାଟ ପଟୁଆର , ଶହଶହ ଦଣ୍ଡୁଆ ଙ୍କ ସହ ଗ୍ରାମର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଙ୍କର ସାମିଲ ହେବା ଏବଂ ବିଶେଷ କରି ୫୭ ନମ୍ବର ରାଜପଥ ପାଞ୍ଚ ଘଣ୍ଟା ରୁ ଅଧିକ ସମୟ ବନ୍ଦ ରହିବା ଏବଂ ପୋଲିସ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖା ଦେଇଥିଲା । ସହର ପରିକ୍ରମା କରି ଶୋଭାଯାତ୍ରା ଫେରୁଥିବା ସମୟରେ ସିନ୍ଦୁରିଆ ଛକ ଠାରେ କୈାଣସି କାରଣ ଲାଗି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଧିରେ ଧିରେ ଏହା ଉଗ୍ର ରୁପ ଧାରଣ କରିଥିଲା । ଦେଉଳ ପଲ୍ଲୀ ଗୋଷ୍ଠୀ ହଠାତ୍ ଦୁର୍ଗାପ୍ରସାଦ ଗୋଷ୍ଠୀ ଉପରକୁ ଟେକା ପଥର ମାଡ଼ କରିଥିଲେ । ପରିସ୍ଥିତି କୁ ଆୟତ୍ତ କରିବାକୁ ପୋଲିସ ଚେଷ୍ଟା କରୁଥିବା ବେଳେ ପୋଲିସକୁ ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ପଥର ମାଡରେ ଟାଉନଥାନା ଆଇଆଇସି ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ସୁଯୋଗ ପାଇ ଦେଉଳ ପଲ୍ଲୀ ଗୋଷ୍ଠୀ ଦୁର୍ଗାପ୍ରସାଦ ର ଦୁଇ ଜଣ ଯୁବକ ଙ୍କୁ ଉଠାଇ ନେଇଥିଲେ । କୈାଣସି ମତେ ସେମାନଙ୍କ ଠାରୁ ଜଣେ ଯୁବକ ଖସି ଆସି ଗ୍ରାମରେ ଖବର ଦେଇଥିଲେ । ଏ ସମ୍ପର୍କରେ ପରିବାର ଲୋକେ ପୁଲିସ କୁ ଖବର ଦେବାପରେ ପୋଲିସ ଏବଂ ପରିବାର ଲୋକେ ମିଶି ଖୋଜିବା ସମୟରେ ସ୍ଥାନୀୟ ନୀଳ ପୋଖରୀ ଠାରେ ଉକ୍ତ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଖବର ମିଳିଥିଲା । ସେଠାରେ ପୋଲିସ ପହଞ୍ଚି ଉକ୍ତ ଯୁବକ କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟ ଆଣିଥିବା ବେଳେ ସେଠାରେ ଡ଼ାକ୍ତର ଉକ୍ତ ଯୁବକ କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡା ବୋଲି ଜଣା ପଡ଼ିଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଉଭୟ ଗ୍ରାମରେ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହିତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମୁହାମୁହିଁ : ଜଣେ ମୃତ , ଦଶ ରୁ ଅଧିକ ଆହତ !!!

