ଆଠମଲ୍ଲିକ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ନିର୍ଯାତନା ର ସଙ୍ଗୀନ ଅଭିଯୋଗ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଆଠମଲ୍ଲିକ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ନିର୍ଯାତନା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଛେଳି କିଣା ବିକା ମାମଲାରେ ଅର୍ଥ ଦିଆନିଆ ନେଇ ବିକ୍ରେତାଙ୍କୁ ଅତି ଅମାନୁଷିକ ଭାବେ ଆଠମଲ୍ଲିକ ଥାନା ପୁଲିସ ମାଡ଼ ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତ ଙ୍କ ପରିବାର । ଆଠମଲ୍ଲିକ ଥାନାର କଳ୍ପନା ବେହେରା ଓ ସହଯୋଗୀ ପୁଲିସ କର୍ମଚାରୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଆଠମଲ୍ଲିକ ଥାନା ଯଦୁପୁର ଗାଁ ‘ ର ମଦନ ସାହୁ ପ୍ରାୟ ୧୫ ଦିନ ତଳେ ଗାଁ ର ମୋହନ ଜାଲଙ୍କୁ ୨୦ ହଜାର ଟଙ୍କାରେ ୫ ଟି ଛେଳି ବିକ୍ରି କରିଥିଲେ । କିନ୍ତୁ ମୋହନ ଛେଳିକୁ କିଛି ଦିନ ରଖିବା ପରେ ସେମାନେ ରୋଗିଣା ବୋଲି କହି ଫେରାଇବା ସହ ଟଙ୍କା ଫେରାଇବାକୁ ଅଡ଼ି ବସିଥିଲେ । ଏଥିରେ ମଦନ ରାଜି ନ ହେବାରୁ ଦୁଇ ଭାଇ ମୋହନ ଓ ମୁରଲୀ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୁଲିସ ମଦନକୁ ଥାନାକୁ ଆଣି ପଚରାଉଚରା ଆଳରେ ନିର୍ଦ୍ଧୁମ ପିଟିଛି । ଏସଆଇ କଳ୍ପନା ବେହେରା ଓ ତାଙ୍କ ସହଯୋଗୀ ମଦନଙ୍କୁ ପ୍ରବଳ ପିଟିବା ସହ ଟଙ୍କା ଫେରେଇବା ପାଇଁ ତାଗିଦ୍ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ର ଅକଥନୀୟ ଅତ୍ୟାଚାର ସହି ନ ପାରି ମଦନ ପୁଅ ହାତରେ ୧୦ ହଜାର ଟଙ୍କା ମଗାଇ ପୋଲିସ ଅଧିକାରିଣୀଙ୍କୁ ଦେଇଥିବା ମଦନଙ୍କ ପୁଅ କହିଛନ୍ତି । ଅନ୍ୟପଟେ ମାମୁଁ ମଦନଙ୍କ ବିଷୟରେ ବୁଝିବାକୁ ଥାନାକୁ ଯାଇଥିବା ତାଙ୍କ ଭଣଜାକୁ ମଧ୍ୟ ପୁଲିସ ଅଟକ ରଖି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ପୋଲିସ ମଦନଙ୍କୁ ଛାଡିଥିବା ବେଳେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଉପକଣ୍ଠ ଡାକ୍ତରଖାନା ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସର ଏଭଳି ଆଚରଣକୁ ପୀଡିତ ପରିବାର ବିରୋଧ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏ ଘଟଣାରେ ଆଠମଲ୍ଲିକ ଥାନାର ଏଏସଆଇ କଳ୍ପନା ବେହେରା ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *