ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସମ୍ଭାବ୍ୟ ବାତ୍ୟା ‘ଅସାନି’ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ବାତ୍ୟା ଓଡ଼ିଶା ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ୍ ରହିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ୮ ଟି ଟିମ୍ ଗଠିତ ହୋଇଛି । ଏହି ଟିମ୍କୁ ପାଓ୍ଵାର ବୋଟ୍, ଲାଇଫ୍ ଜ୍ୟାକେଟ୍, କମ୍ବିଟୁଲ୍, ପ୍ଲାଜମା କଟର, ଟାଓ୍ଵାର ଲାଇଟ୍, କଟର ଓ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ ଯୋଗାଇ ଦିଆଯାଇଛି । ବାତ୍ୟା ପରେ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ଏହି ଟିମ୍ କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ବେଳେ ଜିରୋ କାଜୁଆଲିଟି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି ।