ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍ କରାଯାଇଛି । ଆଜି ପୂର୍ବାହ୍ନରେ ପ୍ରଥମେ ସ୍ଥାନୀୟ ୮ ତାଲା ବିଶିଷ୍ଟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ ଯାଞ୍ଚ କରାଯାଇଥିଲା । ଏ ଅବସରରେ ଆପାର୍ଟମେଣ୍ଟରେ ଅଗ୍ନି ସୁରକ୍ଷା ପାଇଁ କି କି ପଦକ୍ଷେପ ନିଆଯାଇଛି, ସେ ନେଇ ଆଗ୍ନିକ ମାନେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସୁରକ୍ଷା ଯନ୍ତ୍ରପାତି ଗୁଡ଼ିକ ଭଲ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । କିନ୍ତୁ ଅଳ୍ପ କିଛି ଯନ୍ତ୍ର ଖରାପ ଥିଲା । ଏହି କାରଣରୁ ଏହି ଆପାର୍ଟମେଣ୍ଟକୁ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଦେଇନି ଅଗ୍ନିଶମ ବିଭାଗ । ଏହା ପରେ ଚନ୍ଦନ ନର୍ସିଂ ହୋମ୍ରେ ଅଡିଟ୍ କରାଯାଇଥିଲା । ଏଠାରେ ଅଳ୍ପ ସଂଖ୍ୟାରେ ନିଆଁ ଲିଭା ସାମଗ୍ରୀ ଥିଲା । ଏଣୁ ଏହି ନର୍ସିଂହୋମ୍କୁ ଖୁବ୍ ଶୀଘ୍ର ନୋଟିସ୍ ପଠାଯିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସହରର ବିଭିନ୍ନ ବଡ଼ ବଡ଼ କୋଠା ଓ ମଲ୍ ଗୁଡ଼ିକରେ ଅଗ୍ନି ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଡିଟ୍ କରାଯାଇଛି । ଏହି ଅଡିଟ୍ ବେଳେ ଆବଶ୍ୟକୀୟ ସାମଗ୍ରୀ ନଥିବା ସଂସ୍ଥାକୁ ନୋଟିସ୍ କରୁଛି ଅଗ୍ନିଶମ ବିଭାଗ ।