କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କ୍ରମାଗତ ଭାବେ ଗତ ତିନି ଦିନ ଧରି ଫିରିଙ୍ଗିଆ ଅଞ୍ଚଳରେ ଦୁର୍ଘଟଣା ଘଟି ଚାଲିଥିବା ବେଳେ ଏଥିରେ ପ୍ରାୟ ତିନି ଜଣ ପ୍ରାଣ ହରାଇ ସାରିଲେଣି । ସେହିଭଳି ପୁଣି ଏକ ଟ୍ରକ ସହ ଅଟୋ ଦୁର୍ଘଟଣା ଘଟି ଅଟୋରେ ବସିଥିବା ୭ ଜଣ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସୁଚନା ଅନୁଯାୟୀ, କାସିନିପଦର ଅଞ୍ଚଳରୁ ଏକ ଅଟୋରେ ୩ ଜଣ ଅଙ୍ଗନୱାଡି କର୍ମୀ, ଜଣେ ଗର୍ଭବତୀ ମହିଳାଙ୍କ ସମେତ ଡ୍ରାଇଭରକୁ ମିଶାଇ ପାଖାପାଖି ୭ ଜଣ ଯାତ୍ରୀ ଫିରିଙ୍ଗିଆ ଆସୁଥିଲେ । ଅଙ୍ଗନୱାଡି କର୍ମୀ ମାନେ ଫିରିଙ୍ଗିଆ ମମତା ବୈଠକକୁ ଆସୁଥିଲେ । ତେବେ ଫିରିଙ୍ଗିଆ ପଟରୁ ଯାଉଥିବା ଏକ ଟ୍ରକ୍ ସହ ମାଝୀ ପଡ଼ା ଘାଟି ନିକଟରେ ଦୁର୍ଘଟଣା ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସମାଜ ସେବୀ ସଞ୍ଜୟ କୁମାର ଦିଗାଲ ମେଡିକାଲ ପହଞ୍ଚି ଗୁରୁତର ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଦୁଇ ଜଣ ଅଙ୍ଗନୱାଡି କର୍ମୀ ହୋଇଥିବା ବେଳେ ଅନ୍ୟ ଜଣେ ଗର୍ଭବତୀ ମହିଳା ହୋଇଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରେ ଗର୍ଭବତୀ ମହିଳା ଦିପାଳି ଦିଗାଲ, ବରେବାଟା ଅଙ୍ଗନୱାଡି କର୍ମୀ ଲିନାଚାନ୍ଦ ମଲିକ, ଜିରିସି ଅଙ୍ଗନୱାଡ଼ି କର୍ମୀ ରିନା ମଲିକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ସଲପ ସାହି ଅଙ୍ଗନୱାଡି କର୍ମୀ ନମାନି ସାହାଣି ଓ ଅନ୍ୟ ଆହତ ମାନେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବରିଷ୍ଠ ସବ୍ ଇନ୍ସପେକ୍ଟର ପ୍ରଦୀପ କୁମାର ରାଉଳ ପହଞ୍ଚି ଦୁର୍ଘଟଣା ଘଟି ଥିବା ଟ୍ରକ ଓ ଅଟୋକୁ ଏବଂ ଟ୍ରକ ଡ୍ରାଇଭର ଖୋର୍ଦ୍ଧା ଶରଧାପୁର ର ରମାକାନ୍ତ ଜେନାକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।
ଫିରିଙ୍ଗିଆରେ ଟ୍ରକ୍- ଅଟୋ ଧକ୍କା : ୭ ଆହତ, ୩ ଗୁରୁତର !!!

