ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜଣେ ୧୭ ବର୍ଷ ର ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଥିବା ମାମଲାର ବିଚାର କରି ଶନିବାର ଅଭିଯୁକ୍ତ ଯୁବକଙ୍କୁ ଅନୁଗୁଳ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପି.ଆର. ବହିଦାର ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୦୨୧ ନଭେମ୍ବର ୧୪ ରେ ଅନୁଗୁଳ ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ୧୭ ବର୍ଷର ନାବାଳିକାଙ୍କ ମୁହଁକୁ ଅନ୍ୟ ଏକ ନଗ୍ନ ଫଟୋ ସହ ଯୋଡି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଏ ନେଇ ନାବାଳିକା ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଥାନା କେସ୍ ନଂ ୫୯୭ / ୨୧ରେ ଆଇପିସି ଦଫା ୨୯୨,୫୦୦, ଆଇଟି ଆକ୍ଟର ଧାରା ୬୬(ଇ) / ୬୬ ଓ ପକ୍ସୋ ଆଇନର ଧାରା ୧୪ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏଥିରେ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ତୁରୁଡ଼ାନାଳୀ ଗାଁର ଗୟାଧର ରଣା (୨୫)ଙ୍କୁ ଗିରଫ କରିଥିଲା । ଗୟାଧର ଇଷ୍ଟାଗ୍ରାମରେ ଏକ ନକଲି ଆଇଡି ତିଆରି କରିଥିଲା । ଏହି ଆଇଡିରେ ନାବାଳିକାଙ୍କ ମୁହଁକୁ ନେଇ ଏକ ନଗ୍ନ ଫଟୋରେ ଯୋଡ଼ି ଭାଇରାଲ କରିଥିଲା । ଏହି ମାମଲାରେ ମୋଟ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଶ୍ରୀ ବହିଦାର ଅଭିଯୁକ୍ତ ଗୟାଧର ରଣାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରିଥିଲେ ।
ନଗ୍ନ ଫଟୋ ଭାଇରାଲ ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ !!!

