ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ କଟିକଟା – ଜୟପୁର ପୂର୍ତ୍ତ ବିଭାଗ ରାସ୍ତାରେ ସ୍ଥାନୀୟ ଜନସାଧରଣ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଲୁଣା ଚିତ୍ରୋତ୍ପଳା ମହାନଦୀ ରୁ ଶହ ଶହ ବାଲି ବୋଝେଇ ହାଇୱା ଟ୍ରକ୍ ଚାଲିବା କାରଣରୁ ବାଲି ବୋଝେଇ ଗାଡ଼ିରୁ ପାଣି ବୋହି ରାସ୍ତା ରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି . ଯାହା ଫଳରେ ରାସ୍ତାରେ ଯାଉଥିବା ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏହି ରାସ୍ତା ରେ ବାଲି ପଡିବା ହେତୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ଜନସାଧାରଣ ଓ ସ୍ଥାନୀୟ ସରପଞ୍ଚ ଅସୁରେଶ୍ଵର ବ୍ୟବସାୟ ସଂଘ ପକ୍ଷରୁ ବାରମ୍ଵାର ପ୍ରଶାସନ ଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସତ୍ତ୍ୱେ କଣ ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ଏହା ଜନସାଧାରଣ ଙ୍କ ଚିନ୍ତା ର ବିଷୟ ପାଲିଟିଛି । ରାସ୍ତା ଅବରୋଧ ଖବର ପାଇ ବିଳମ୍ବ ହେଲେ ମଧ୍ୟ ନିଶ୍ଚିନ୍ତକୋଇଲି ଥାନା , ନେମାଳ ଥାନା ପୁଲିସ , ସିଡିପିଓ ଏବଂ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା । ତହସିଲଦାର ରାସ୍ତା ଅବରୋଧ କରିଥିବା ଜନସାଧରଣ ସହ ଏ ବିଷୟରେ ଆଲୋଚନା କରିଥିଲେ ଏବଂ ଶେଷରେ ପ୍ରତିଶୃତି ଦେଇଥିଲେ ଦିନ ବେଳା ଭାରୀଯାନ ରାସ୍ତାରେ ଚାଲିବ ନାହିଁ , କେବଳ ରାତ୍ରି ସମୟରେ ଚାଲିବ . ଏହାକୁ ଯେଉଁ ଗାଡି ମାନେ ନ ମାନିବେ ସେମାନଙ୍କୁ ନିକଟସ୍ଥ ଥାନାକୁ ନିଆଯିବ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ . ଦେଖିବାର ବାକି ରହିଲା ଏହା କେବେଠାରୁ ଆଉ କେତେଦୂର କାର୍ଯ୍ୟକାରୀ ହେଉଛି , କେବେ ହେବ ସମସ୍ୟା ର ଅନ୍ତ ।
ନୟାନ୍ତ କଲାଣି ଭାରୀଯାନ ଚଳାଚଳ : ରାସ୍ତା ଅବରୋଧ କଲେ ଜନସାଧାରଣ !!!

